ପାକିସ୍ତାନ ସ୍ଥିତି ଅଣାୟତ୍ତ : ଇମ୍ରାନ ସରକାରରେ ମନ୍ତ୍ରୀ ଥିବା ଶାହ ମେହମୁଦ କୁରେସୀ ଗିରଫ

ଇସ୍ଲାମାବାଦ :  ଇମ୍ରାନ୍ ଖାଁ ଗିରଫ ହେବା ପରଠାରୁ ପାକିସ୍ତାନରେ ଉତ୍ତେଜନା ଲାଗି ରହିଛି । ତାଙ୍କ ସମର୍ଥକମାନେ ଲଗାତାର ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହି ପ୍ରତିବାଦ ଦିନକୁ ଦିନ ହିଂସାତ୍ମକ ହେବା ସହ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଏହାର ମୁକାବିଲା କରିବାକୁ ପୁଲିସ ଓ ସେନା ଦମନଲୀଳା ଚଳାଇଛି । ଇମ୍ରାନ ଖାଁଙ୍କ ଦଳର ଅନ୍ୟ ଜଣେ ବଡ଼ ନେତା ଶାହ ମେହମୁଦ କୁରେଶୀଙ୍କୁ ମଧ୍ୟ ପୁଲିସ ଗିରଫ କରିଥିବା ସୂଚନା ମିଳିଛି । ଶାହ ମହମ୍ମଦ କୁରେଶୀ ଇମ୍ରାନ ଖାଁ ସରକାରରେ ବୈଦେଶିକ ମନ୍ତ୍ରୀ ଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଏହା ପୂର୍ବରୁ ପିଟିଆଇର ବରିଷ୍ଠ ନେତା ଅସଦ ଉମରଙ୍କୁ ମଧ୍ୟ ପୁଲିସ ଗିରଫ କରିଥିଲା। ଶାହ ମେହମୁଦ କୁରେଶୀ ଏବଂ ଅସଦ ଉମର ଇମ୍ରାନଙ୍କ ଗିରଫଦାରୀକୁ ଲଗାତାର ବିରୋଧ କରୁଥିଲେ, ଯାହା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା । ଏହି ଦୁଇ ନେତାଙ୍କ ସହ ଅନେକ ପିଟିଆଇ କର୍ମୀଙ୍କୁ ମଧ୍ୟ ଅଟକ ରଖାଯାଇଛି ।

ମଙ୍ଗଳବାରଠାରୁ ପାକିସ୍ତାନରେ ହୋଇଥିବା ହିଂସାତ୍ମକ ବିକ୍ଷୋଭରେ ଏପର୍ଯ୍ୟନ୍ତ ୪ ଜଣ ପିଟିଆଇ କାର୍ଯ୍ୟକର୍ତ୍ତା ନିହତ ହୋଇଥିବା ସୂଚନା ମିଳିଛି। ସେପଟେ କିଛି ଗଣମାଧ୍ୟମ ରିପୋର୍ଟରେ ୮ ଜଣ ସାମାଜିକ କର୍ମୀଙ୍କ ମୃତ୍ୟୁକୁ ନିଶ୍ଚିତ କରାଯାଇଛି । ବିବିସି ରିପୋର୍ଟ ଅନୁଯାୟୀ, ଏହି ବିକ୍ଷୋଭରେ ୧୩୦ରୁ ଅଧିକ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର