ପୁଲୱାମା ଆକ୍ରମଣ: ଜୈସ୍‌ ମୁଖ୍ୟାଳୟରେ ଚଢ଼ଉ

ନିଜ ନିୟନ୍ତ୍ରଣକୁ ନେଲା ପାକିସ୍ତାନ

ଇସ୍‌ଲାମାବାଦ: ପୁଲୱାମାରେ ଆତ୍ମଘାତୀ ଆକ୍ରମଣ କରିଥିବା ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦ ବିରୋଧରେ ପାକିସ୍ତାନ ସରକାର କେତେକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ପଂଜାବ ପ୍ରଦେଶ ସରକାର ଆଜି ବାହବଳପୁର ସ୍ଥିତ ଜୈସ୍‌ର ମୁଖ୍ୟାଳୟ, ମଦ୍ରାସା ଏବଂ ଜମ୍ମା ଏ ମସ୍‌ଜିଦ୍‌ ଶୁଭାନାଲ୍ଲାକୁ ନିଜ ନିୟନ୍ତ୍ରଣକୁ ନେଇଥିବା ଦାବି କରିଛି। ପୁଲୱାମାରେ ଗତ ୧୪ ତାରିଖରେ ଘଟିଥିବା ଆତ୍ମଘାତୀ ଆକ୍ରମଣରେ ସିଆର୍‌ପିଏଏଫ୍‌ର ୪୧ ଜଣ ଯବାନ ସହିଦ ହୋଇଥିଲେ ଏବଂ ଏଥିପାଇଁ ଜୈସ୍‌ ନିଜକୁ ଦାୟୀ କରିଥିଲା। ଏହାକୁ ନେଇ ବିଶ୍ବବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇବା ଏବଂ ଜାତିସଂଘ ଏହାର କଡ଼ା ନିନ୍ଦା କରି କାର୍ଯ୍ୟାନୁଷ୍ଠାନ ପାଇଁ କହିବା ପରେ ପାକିସ୍ତାନ ଆଜି ପ୍ରଥମ ଥର ପାଇଁ ଜୈସ୍‌ ମୁଖ୍ୟାଳୟକୁ ନିଜ ନିୟନ୍ତ୍ରଣକୁ ନେଇଥିବା କହିଛି। ପାକିସ୍ତାନ ଗୃହ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତକାଲି ଜାତୀୟ ନିରାପତ୍ତା କମିଟିରେ ଜୈସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା, କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ସାର୍ବଜନୀନ କରାଯାଇନଥିଲା। ଆଜି ପଂଜାବ ପ୍ରଦେଶ ପୁଲିସ ଜୈସ୍‌ ମୁଖ୍ୟାଳୟରେ ଚଢ଼ଉ କରି ବିଭିନ୍ନ ଦସ୍ତାବିଜ ଜବତ କରିଛନ୍ତି। ଏହାର ପରିସରରେ ଚାଲିଥିବା ମଦ୍ରାସାର ୭୦ ଜଣ ଶିକ୍ଷକ ଏବଂ ୬୦୦ ଛାତ୍ରଙ୍କୁ ମଧ୍ୟ ବାହାରି ଯିବାକୁ କୁହାଯାଇଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ତେବେ ଜୈସ୍‌ ମୁଖ୍ୟ ମସୁଦ୍‌ ଆଝାରର ସ୍ଥିତି ନେଇ ପାକ୍‌ ସରକାର ସଂପୂର୍ଣ୍ଣ ନିରବ ଅଛନ୍ତି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣରେ ଅଙ୍କୁଶ ଲଗାଇବା ପାଇଁ ପାକିସ୍ତାନ ସରକାର କୌଣସି ପଦକ୍ଷେପ ନେଇନଥିବାରୁ ଆଜି ଫାଇାନ୍‌ନସିଆଲ୍‌ ଆକ୍ସନ ଟାସ୍କ ଫୋର୍ସ (ଏଫ୍‌ଏଟିଏଫ୍‌)ଏହାକୁ ଭର୍ତ୍ସନା କରିବା ସହ ପୂର୍ବଭଳି ଗ୍ରେ ଲିଷ୍ଟ୍‌ରେ ରଖିଥିଲା। ଏହାପରେ ଜୈସ୍‌ ବିରୋଧରେ ପାକିସ୍ତାନ ସରକାର ପ୍ରଥମ ଥର ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର