ତେହେରାନ: ବର୍ଷକ ତଳେ ସୀମାପାର ଏୟାର୍ ଷ୍ଟ୍ରାଇକ୍ ସତ୍ତ୍ୱେ ପାକିସ୍ତାନ ଓ ଇରାନ ମଧ୍ୟରେ ସମ୍ପର୍କରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି। ଏହା ମୁଖ୍ୟତଃ ଗାଜାରେ ବଢ଼ୁଥିବା ସଙ୍କଟକୁ ନେଇ ଉଭୟ ଦେଶ ସମାନ ଉଦ୍‌ବେଗ ପ୍ରକାଶ କରିବା ଯୋଗୁ ହୋଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଓ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏବେ ତେହେରାନରେ ଅଛନ୍ତି ଏବଂ ଘନିଷ୍ଠ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଇରାନ ନେତୃତ୍ୱଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ପାକିସ୍ତାନ ଏହି ଅବସରରେ କାଶ୍ମୀରକୁ ନେଇ ଭାରତ ସହ ନିଜର ବିବାଦ ପ୍ରସଙ୍ଗ ଉଠାଇଥିବା ବେଳେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ସୟଦ ଅଲି ଖେମିନି ସନ୍ତୁଳିତ ଆଭିମୁଖ୍ୟ ପ୍ରକାଶ କରି ଦୁଇ ଦେଶ ନିଜନିଜ ଭିତରେ କଥାବାର୍ତ୍ତା କରି ବିବାଦର ସମାଧାନ କରିବା ଉଚିତ ବୋଲି କହିଥିଲେ। ଆୟାତୋଲ୍ଲାଙ୍କ ସହ ସାକ୍ଷାତ ସମୟରେ ଶେହବାଜ ସରିଫ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଓ ପାକ୍-ଅଧିକୃତ କାଶ୍ମୀର (ପିଓକେ)ରେ ଭାରତର ଏୟାର୍ ଷ୍ଟ୍ରାଇକ୍ ବିଷୟରେ ଉଲ୍ଲେଖ କରି ଭାରତ-ପାକିସ୍ତାନ ସଂଘର୍ଷ ପ୍ରସଙ୍ଗ ଉଠାଇଥିଲେ।

Advertisment

ଇରାନର ରାଷ୍ଟ୍ରପତି ମସୁଦ ପେଜେଶକିଆନଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶେହବାଜ ସରିଫ କାଶ୍ମୀର, ଜଳ ବଣ୍ଟନ ଓ ବାଣିଜ୍ୟ ସମେତ ଦୀର୍ଘଦିନର ସମସ୍ୟାର ସମାଧାନ ପାଇଁ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ। ସେ କହିଛନ୍ତି, ଶାନ୍ତି ପାଇଁ ଆମେ କଥା ହେବାକୁ ପ୍ରସ୍ତୁତ। କିନ୍ତୁ ଯଦି ସେମାନେ ଆମର ଶାନ୍ତି ପ୍ରସ୍ତାବକୁ ଗ୍ରହଣ କରନ୍ତି, ତେବେ ଆମେ ଦେଖାଇବୁ ଯେ ଆମେ ପ୍ରକୃତରେ ଆନ୍ତରିକତାର ସହ ଶାନ୍ତି ଚାହୁଛୁ। ଏହା ପ୍ରତି ଇରାନର ପ୍ରତିକ୍ରିୟା ସନ୍ତୁଳିତ ଥିଲା। ଆୟାତୋଲ୍ଲା ଏକ୍ସରେ କହିଛନ୍ତି, ପାକିସ୍ତାନ ଓ ଭାରତ ମଧ୍ୟରେ ସଂଘର୍ଷର ଅନ୍ତକୁ ନେଇ ଆମେ ଆନନ୍ଦିତ ଏବଂ ଆଶା କରୁଛୁ ଯେ ଦୁଇ ଦେଶ ମଧ୍ୟରେ ଥିବା ମତଭେଦ ପରସ୍ପର ଆଲୋଚନା ମାଧ୍ୟମରେ ଦୂର ହୋଇଯିବ। ଭାରତ ଓ ଇରାନ ମଧ୍ୟରେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି ଏବଂ ଚାବାହାର ବନ୍ଦର ଏହାର ମୂଳଦୁଆ ଭାବରେ କାର୍ଯ୍ୟ କରୁଛି। ଇରାନର ଦକ୍ଷିଣ-ପୂର୍ବ ଉପକୂଳରେ ଅବସ୍ଥିତ ଏହି ବନ୍ଦର ଭାରତକୁ   ଆଫଗାନିସ୍ତାନ ଓ  ମଧ୍ୟଏସୀୟ ଗଣତନ୍ତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପ୍ରବେଶ ପଥ ପ୍ରଦାନ କରୁଛି।