ସୋମବାର ଠାରୁ ଶିଖ୍ ଯାତ୍ରୀଙ୍କ ଲାଗି ପୁଣି କର୍‌ତାର୍‌ପୁର କରିଡର୍ ଖୋଲିବାକୁ ପାକିସ୍ତାନ ପ୍ରସ୍ତୁତ

ନୂଆଦିଲ୍ଲୀ: ଜୁନ୍ ୨୯ ତାରିଖ ସୋମବାର ଠାରୁ ଶିଖ୍‌ ଯାତ୍ରୀଙ୍କ ନିମନ୍ତେ ପୁଣି କର୍‌ତାର୍‌ପୁର କରିଡର୍‌ ଖୋଲିବାକୁ ପାକିସ୍ତାନ ପ୍ରସ୍ତୁତ। କୋଭିଡ୍-୧୯ ମହାମାରୀ ସଂକ୍ରମଣ ରୋକିବାକୁ ସତର୍କତାମୂଳକ ପଦକ୍ଷେପସ୍ବରୂପ କରିଡର୍‌ ବନ୍ଦ ରଖାଯାଇଥିଲା।

ଏକଥା ଘୋଷଣା କରି ଶନିବାର ଦିନ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ୍ କୁରେଶି ଟୁଇଟ୍ କରିଛନ୍ତି ଯେ ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଶିଖ୍ ସାମ୍ରାଜ୍ୟର ସଂସ୍ଥାପକ ମହାରାଜା ରଣଜୀତ ସିଂହଙ୍କ ଶ୍ରାଦ୍ଧ ଦିବସରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Image Courtesy of The Economic Times

ଟୁଇଟ୍‌ରେ ସେ ଲେଖିଛନ୍ତି, ସମଗ୍ର ବିଶ୍ବରେ ଉପାସନାସ୍ଥଳୀ ସବୁ ଖୋଲୁଥିବାରୁ ୨୦୨୦ ପାକିସ୍ତାନ ସମସ୍ତ ଶିଖ୍‌ ଯାତ୍ରୀଙ୍କ ପାଇଁ କର୍‌ତାର୍‌ପୁର ସାହିବ କରିଡର୍‌ ଖୋଲିବାକୁ ପସ୍ତୁତି କରୁଛି। ମହାରାଜା ରଣଜୀତ ସିଂହଙ୍କ ଶ୍ରାଦ୍ଧ ଦିବସ ଜୁନ୍ ୨୯ ତାରିଖ ଠାରୁ ପୁଣି କରିଡର୍‌ ଖୋଲିବାକୁ ଆମର ପ୍ରସ୍ତୁତି ସଂକ୍ରାନ୍ତରେ ଭାରତକୁ ଅବଗତ କରାଯାଇଛି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଗତବର୍ଷ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ପଞ୍ଜାବର ଗୁରଦାସପୁର ଜିଲ୍ଲା ଏବଂ ପାକିସ୍ତାନର କର୍‌ତାର୍‌ପୁର ସାହିବ ଗୁରଦ୍ବାରକୁ ସଂଯୋଗ କରୁଥିବା କରିଡର୍ ଉଦ୍‌ଘାଟନ କରିଥିଲେ। ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍ ଅମରିନ୍ଦର ସିଂହ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ଶିରୋମଣି ଅକାଳି ଦଳ ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ ଏବଂ ଶିରୋମଣି ଗୁରଦ୍ବାର ପ୍ରବନ୍ଧକ କମିଟିର ନେତୃମଣ୍ଡଳୀ ଏହି ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର