୨୦୧୯ରେ ୨୦୫୦ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ, ମୃତ୍ୟୁବରଣ କରିଛନ୍ତି ୨୧ଭାରତୀୟ : ଭାରତ ବିଦେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଭାରତର ବିଦେଶ ମନ୍ତ୍ରାଳୟ ପକ୍ଷରୁ ପାକିସ୍ତାନକୁ ନେଇ ଦିଆଯାଇଥିବା ସୂଚନା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଚଳିତ ବର୍ଷ ପାକିସ୍ତାନ ୨୦୫୦ଥର ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିଥିବା ବେଳେ ପ୍ରାୟ ୨୧ଜଣ ଭାରତୀୟ ମୃତ୍ୟୁବରଣ କରିଛନ୍ତି । ପାକିସ୍ତାନକୁ ଫୋନ କରି ୨୦୦୩ର ସଂଘର୍ଷ ବିରାମକୁ ପାଳନ କରିବା ପାଇ ଭାରତ ଅନେକ ଥର କହିଥିଲେ ମଧ୍ୟ ପାକିସ୍ତାନ ପ୍ରତି ଥର ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରି ନିୟନ୍ତ୍ରଣ ରେଖାରେ ଆକ୍ରମଣ କରିଥାଏ । ୨୦୧୯ରେ ପ୍ରାୟ ୨୦୫୦ଥର କୌଣସି କାରଣ ନଥାଇ ପାକ୍‌ ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରିଥିବା ବେଳେ ବିନା କାରଣରେ ୨୧ଜଣ ଭାରତୀୟ ମୃତ୍ୟୁବରଣ କରିଛନ୍ତି । ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ପାକିସ୍ତାନ ସବୁଥର ଏହାକୁ ବିଫଳ କରୁଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

latestly.com

ସୂଚନା ମୁତାବକ, ପାକିସ୍ତାନୀ ସେନା ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ ହେବା ପରେ ଭାରତୀୟ ସେନା ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଏହାର ପରିଣାମ ସ୍ୱରୂପ ୧୧ ତାରିଖ ଦିନ ଜମ୍ମୁ-କଶ୍ମୀରର ହାଜିପୁର ସେକ୍ଟରରେ ଦୁଇଜଣ ପାକ୍‌ ଯବାନ ନିହତ ହୋଇଥିଲେ। ଶନିବାର ଏଇ ଦୁଇ ଯବାନଙ୍କ ମୃତଦେହ ନେବା ଲାଗି ପାକ ସେନା ପକ୍ଷରୁ ‘ଧଳା ପତାକା’ ପ୍ରଦର୍ଶନ କରାଯାଇଥିଲା। ସାଧାରଣତଃ ‘ଧଳା ପତାକା’ ପ୍ରଦର୍ଶନ ଯୁଦ୍ଧ ବିରତି ଅଥବା ଆତ୍ମସମର୍ପଣର ପ୍ରତୀକ ହୋଇଥାଏ। ଶନିବାର ହାଜିପୁର ସେକ୍ଟରରେ ପାକ ସେନାର ଏକ ଛୋଟ ବଟାଲିଆନ୍‌ ଧଳା ପତାକା ସହ ସୀମା ନିକଟକୁ ଆସିଥିଲେ। ଏହାକୁ ସମ୍ମାନ ଦିଆଯାଇ ଭାରତୀୟ ସେନା ପକ୍ଷରୁ ଗୁଳିଚାଳନା ବନ୍ଦ ରଖାଯାଇଥିଲା। ଏହାପରେ ପାକ୍‌ ଯବାନମାନେ ସେଠାରେ ପଡି ରହିଥିବା ଦୁଇଜଣ ନିହତ ସହକର୍ମୀଙ୍କ ମୃତଦେହ ସଂଗ୍ରହ କରି ନେଇଥିଲେ। ଏହି ଘଟଣା ପରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ପାକ୍‌କୁ ନେଇ ଏଭଳି ବୟାନ ଜାରି କରାଯାଇଛି ।

ସମ୍ବନ୍ଧିତ ଖବର