ହାଫିଜ୍‌ର ମୁକ୍ତିକୁ ପାକିସ୍ତାନର ସଫେଇ

ଇସଲାମାବାଦ: ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରିବାରେ ପାକିସ୍ତାନ ଆପଣେଇଥିବା ନିଜର ଦୋମୁହାଁ ନୀତିକୁ ପୁଣି ଥରେ ପ୍ରମାଣିତ କରିଛି। କାରଣ ସଂଯୁକ୍ତ ଜାତିସଂଘ ଏବଂ ଆମେରିକା ଦ୍ୱାରା ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷିତ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ହାଫିଜ୍‌ ସୟିଦ୍‌ ଗତକାଲି ମୁକ୍ତ ହେବା ଘଟଣାକୁ ଯୁକ୍ତିଯୁକ୍ତ ବୋଲି ପାକିସ୍ତାନ ସରକାର ସଫେଇ ଦେଇଛନ୍ତି। ଏଣେ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଆତଙ୍କବାଦୀଙ୍କ ଉପରେ ଲଗାଯାଇଥିବା କଟକଣାକୁ ପାକିସ୍ତାନ ଅକ୍ଷରେ ଅକ୍ଷରେ ପାଳନ କରୁଛି ବୋଲି ମଧ୍ୟ ଦାବି କରିଛି।

ମୁଣ୍ଡରେ ଏକ କୋଟି ଆମେରିକୀୟ ଡଲାରର ପୁରସ୍କାର ବହନ କରୁଥିବା ଜମାତ୍‌-ଉଲ୍‌-ଦାଓ୍ଵା ମୁଖ୍ୟ ହାଫିଜ୍‌ ଶୁକ୍ରବାର ନଜରବନ୍ଦୀରୁ ମୁକ୍ତ ହେବା ପରେ ଭାରତୀୟ ବିଦେଶ ମନ୍ତ୍ରାଳୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ହାଫିଜ୍‌କୁ ଏପରି ଖୁଲମ୍‌ ଖୁଲା ଛାଡ଼ିଦେଇ ପାକିସ୍ତାନ, ଜାତିସଂଘ ଦ୍ୱାରା ଆତଙ୍କବାଦୀ ତଥା ଉଲ୍ଲଂଘନକାରୀ ଘୋଷିତ ସଂଗଠନ ଏବଂ ବ୍ୟକ୍ତିବିଶେଷଙ୍କ ପ୍ରତି, ଆଦୌ ଗମ୍ଭୀର ନୁହେଁ ବୋଲି ସ୍ପଷ୍ଟ କରିଥିବା ଭାରତ ଦାବି କରିଛି। ତେବେଏଥିରେ ନିଜର ପଦକ୍ଷେପକୁ ସଫେଇ ଦେଇ ପାକିସ୍ତାନ ପକ୍ଷରୁ ବୈଦେଶିକ ବିଭାଗ ମୁଖପାତ୍ର ମହମ୍ମଦ ଫୈଜଲ୍‌ ଜବାବ ରଖିଛନ୍ତି। ପାକିସ୍ତାନର ଅଦାଲତ ଏହାର ସମସ୍ତ ନାଗରିକଙ୍କୁ ଆଇନ ଅନୁଯାୟୀ ସୁରକ୍ଷା ଦେବାର ସାମ୍ବିଧାନିକ ଦାୟିତ୍ୱ ପାଳନ ପାଇଁ ପ୍ରତିଶ୍ରୁତିବଦ୍ଧ। ସୁତରାଂ ସେହି ଅନୁସାରେ ହାଫିଜ୍‌କୁ ଅଦାଲତ ମୁକ୍ତ କରିଛନ୍ତି ବୋଲି ଫୈଜଲ୍‌ କହିଛନ୍ତି । ତେବେ ଆତଙ୍କବାଦକୁ ପାକିସ୍ତାନ ଧିକ୍କାର କରେ ଏବଂ ଏହା ବିରୋଧରେ ପାକିସ୍ତାନର ଲଢ଼େଇ ବିଶ୍ୱରେ ଅଦ୍ୱିତୀୟ ବୋଲି ଫୈଜଲ୍‌ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥି ସହିତ ଆତଙ୍କବାଦୀ ଏବଂ ସେମାନଙ୍କ ସଂଗଠନ ବିରୋଧରେ ଜାତିସଂଘ ଜାରି କରିଥିବା ସମସ୍ତ କଟକଣାକୁ ମଧ୍ୟ ପାକିସ୍ତାନ ପାଳନ କରିଚାଲଛି ବୋଲି ଫୈଜଲ୍‌ ଯୁକ୍ତି ବାଢ଼ିଛନ୍ତି।

ସମ୍ବନ୍ଧିତ ଖବର