ନୋଇଡ଼ା: ପାକିସ୍ତାନରୁ ନିଜ ପ୍ରେମିକ ସଚିନ ମିନାଙ୍କ ପାଖକୁ ଚାଲି ଆସିଥିବା ପ୍ରେମିକା ସୀମା ହାଇଦର୍ଙ୍କୁ ତ ଆପଣ ଜାଣନ୍ତି। ସଚିନ ଓ ସୀମାଙ୍କ ପ୍ରେମ କାହାଣୀର ଚର୍ଚ୍ଚା ଚାରିଆଡ଼େ ହେଉଛି। ଏହି ପ୍ରେମୀଯୁଗଳଙ୍କୁ ନେଇ ନିକଟରେ ଏକ ନୂଆ ଗୀତ ଶୁଣିବାକୁ ମିଳୁଛି। ଏହି ଗୀତଟିକୁ ନିର୍ମାଣ କରିଛନ୍ତି ଦିଲ୍ଳୀର ବାସିନ୍ଦା ଗୁଡ୍ଡୁ ଗୋଲ୍ଡ ଯାଦବ। ଏହି ଗୀତର ଶୀର୍ଷକ ରହିଛି ‘ସୀମା ହାଇଦର ଚାଳିଷା’।
ଗୀତର ଆରମ୍ଭରୁ ଶୁଣିବାକୁ ମିଳୁଛି, ‘ସୀମା ନେ କରଦିଆ ସରହଦ୍ ପାର୍, ଇସେ କେହେତେ ହେଁ ସଚ୍ଚା ପ୍ୟାର୍, ଚାରୋଁ ତରଫ ମଚା ହାହାକାର୍, ଇସେ କେହେତେ ହେଁ ସଚ୍ଚା ପ୍ୟାର୍’। ଆପଣ ଜାଣିଛନ୍ତି ଯେ ସୀମାଙ୍କୁ ନେଇ ଏକ ସିନେମା ବି ବନିବାକୁ ଯାଉଛି। ଯାହାର ନାମ ହେଉଛି ‘କରାଚି ଟୁ ନୋଇଡ଼ା’।
ନିକଟରେ ଶୁଣିବାକୁ ମିଳୁଥିଲା ଯେ ସୀମା ହାଇଦରଙ୍କୁ ଏଥର ‘ବିଗ୍ବସ୍’ରେ ଦେଖିବାକୁ ମିଳିବ। ଅନେକ ଗଣମାଧ୍ୟମ ସଂସ୍ଥା ‘ବିଗ୍ବସ୍’ ପ୍ରତିଯୋଗୀ ଭାବେ ସୀମା ହାଇଦରଙ୍କ ନାମ ନେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା।
କେବଳ ସେତିକି ନୁହେଁ, ପାକିସ୍ତାନରୁ ଭାରତ ଆସିବା ପରଠାରୁ ସୀମା ସମସ୍ତ ଭାରତୀୟ ଉତ୍ସବରେ ବେଶ୍ ସକ୍ରିୟ ନଜର ଆସିଛନ୍ତି। ଭାରତୀୟ ପ୍ରେମିକଙ୍କ ପାଇଁ ସୀମା ପାର କରିଥିବା ପାକିସ୍ତାନୀ ମହିଳା ସୀମା ହାଇଦର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ଶୀର୍ଷ ନେତାମାନଙ୍କୁ ରାକ୍ଷୀ ପଠାଇଥିଲେ ବୋଲି ଆପଣ ଜାଣନ୍ତି।