ପାକିସ୍ତାନରେ ଇମ୍ରାନ ଶାସନ : ପ୍ରଥମ ଦିନରୁ ଭାରତ-ବିରୋଧୀ ଆଭିମୁଖ୍ୟ

ନୂଆଦିଲ୍ଲୀ : ଇମ୍ରାନ ଖାଁ ନିଆଜୀ। ସତୁରୀରୁ ନବେ ଦଶକ ଯାଏ କେବଳ ପାକିସ୍ତାନ କାହିଁକି, ସମଗ୍ର ଭାରତୀୟ ଉପମହାଦେଶରେ ଏହି କ୍ରିକେଟ ତାରକା ସେତେବେଳେ ଥିଲେ ଯୁବ ସମାଜ ହୃଦୟର ସ୍ପନ୍ଦନ। ସମକାଳୀନ ଅନ୍ତର୍ଜାତୀୟ କ୍ରିକେଟରେ ଭାରତର କପିଳଦେବଙ୍କ ସମେତ ବିଶ୍ୱର ଚାରି ଶ୍ରେଷ୍ଠ ଅଲ୍‌ରାଉଣ୍ଡରଙ୍କ ମଧ୍ୟରେ ଗଣା ହେଉଥିଲେ ସେ। ଅଧିନାୟକ ଭାବେ ୧୯୯୨ ମସିହାରେ ଅଷ୍ଟ୍ରେଲିଆରେ ଆୟୋଜିତ ବିଶ୍ୱକପ୍‌ରେ ନିଜ ଦେଶ ପାକିସ୍ତାନକୁ ଜିତାଇବା ପରଠାରୁ ନିଜକୁ ଏକ ଭିନ୍ନ ସ୍ତରକୁ ନେଇଯାଇଥିଲେ।

ଇଂଲଣ୍ଡରେ ପାଠ ପଢ଼ିଥିଲେ ଇମ୍ରାନ। ସେଠାରେ ସେ ଜୀବନର ପ୍ରଥମ ସାଢ଼େ ଚାରି ଦଶନ୍ଧି ବିତାଇଥିଲେ। ଏହି ରୁଚିସମ୍ପନ୍ନ ବ୍ୟକ୍ତି ୧୯୯୬ ମସିହାରେ ପାକିସ୍ତାନ ଫେରିଆସିବା ଦିନଠୁ ରାଜନୀତିରେ ମନୋନିବେଶ କରିବା ସହିତ ୨୨ ବର୍ଷ ପରେ ନିଜକୁ ପ୍ରଧାନମନ୍ତ୍ରୀ ପଦ ଯାଏ ଉନ୍ନୀତ କରିଛନ୍ତି।

ଏମିତିରେ ଦେଖିବାକୁ ଗଲେ, ନିଜର ସୁଦୀର୍ଘ କ୍ରିକେଟ କ୍ୟାରିଅରରେ ଭାରତରେ ବହୁ ସମୟ କଟାଇବାର ସୁଯୋଗ ପାଇଥିବାରୁ ଇମ୍ରାନ୍‌ ହିଁ ସମ୍ଭବତଃ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପରେ ଭାରତକୁ ସବୁଠୁ ବେଶି ଭଲଭାବେ ଜାଣିଥିବା, ବୁଝିଥିବା ପାକିସ୍ତାନୀ ରାଜନେତା ଅଟନ୍ତି। ଅର୍ଜୁନ ରଣାତୁଙ୍ଗେ, ନଭଜୋତ ସିଂହ ସିଦ୍ଧୁଙ୍କ ଭଳି ଅନ୍ତର୍ଜାତୀୟ କ୍ରିକେଟ ତାରକାମାନେ ପୂର୍ବରୁ ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଥିଲେ। ହେଲେ ଏହି କ୍ରିକେଟ-ପାଗଳ ଉପମହାଦେଶରେ ଇମ୍ରାନଙ୍କ ପୂର୍ବରୁ କେହି କୌଣସି ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ହୋଇପାରିନଥିଲେ। ତେଣୁ ଭାରତରେ ଇମ୍ରାନଙ୍କୁ ପ୍ରଧାନମନ୍ତ୍ରୀ ହେଉଥିବାରୁ ନିରୀହ ସାଧାରଣ ଲୋକେ ଦୁଇଦେଶର ସମ୍ପର୍କକୁ ନେଇ ବହୁ ସ୍ୱପ୍ନ, ଆଶାଆକାଂକ୍ଷା ଦେଖାଇବା ସ୍ୱାଭାବିକ।

ତେବେ ଗୁରୁବାର ସନ୍ଧ୍ୟାରେ ନିଜ ଦେଶର ଜନସାଧାରଣଙ୍କୁ ଧନ୍ୟବାଦ ଦେବା ଅବସରରେ ଭାରତ ସହ ପାକିସ୍ତାନର ସମ୍ଭାବ୍ୟ ସମ୍ପର୍କକୁ ନେଇ ଇମ୍ରାନ ଯେଉଁ ଟିପ୍ପଣୀ ରଖିଛନ୍ତି ତାକୁ ଟିକେ ତଳେଇକି ଦେଖିଲେ ନୈରାଶ୍ୟ ସ୍ପଷ୍ଟ ବାରିହେଉଛି। ନିଜ ପୂର୍ବସୁରୀଙ୍କ ଠାରୁ କଶ୍ମୀର ପ୍ରସଙ୍ଗରେ ସେ କିଛି ଭିନ୍ନ କହିନାହାନ୍ତି। ଦ୍ୱିପାକ୍ଷିକ ସମ୍ପର୍କରେ ‘ କଶ୍ମୀର ହିଁ ମୁଖ୍ୟ ପ୍ରସଙ୍ଗ’ ବୋଲି ପାକ୍‌-ସେନାର ହାତବାରିସୀ ସାଜିବାକୁ ଯାଉଥିବା ଏହି ଭାବୀ ପ୍ରଧାନମନ୍ତ୍ରୀ କହିବା କଥାକୁ ଭାରତରେ ସହଜେ କେହି ଗ୍ରହଣ କରିବେନି। ସେହିପରି ତାଙ୍କୁ ଭାରତୀୟ ମିଡିଆ ଜଣେ ଭିଲେନ ବୋଲି ବିଚାର କରିବା, ଉପମହାଦେଶରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନକୁ ଭାରତ ଦାୟୀ କରିବା କଥା ହାସ୍ୟାସ୍ପଦ ବୋଲି ଇମ୍ରାନ ଅଭିହିତ କରିସାରିଛନ୍ତି। ଯାହାକି, ଭାରତ ପାଇଁ ଆନନ୍ଦ ଆଣିଦେଇନାହିଁ। ସେହିପରି ଚୀନକୁ ଅହେତୁକ ପ୍ରଶଂସାରେ ପୋତିଦେଇ ଇମ୍ରାନ ଭାରତୀୟମାନଙ୍କୁ ନିରୁତ୍ସାହିତ କରିବା ସାର ହୋଇଛି। ତେଣୁ ‘ଭାରତ ପାଦେ ଆଗେଇଲେ ପାକିସ୍ତାନ ଦୁଇପାଦ ଆଗେଇବ’ ବୋଲି ତାଙ୍କ ବାହାସ୍ଫୋଟ ବିଶେଷ କିଛି ମାନେ ରଖୁନଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର