ଦୁବାଇ: ଦୁବାଇ ଏୟାରପୋର୍ଟରୁ ପାକିସ୍ତାନୀ ଗାୟକ ରାହତ ଫତେହ ଅଲ୍ଲୀ ଖାଁଙ୍କୁ ଗିରଫ କରିଛି ପୁଲିସ । ସଙ୍ଗୀତ ପରିବେଷଣ ପାଇଁ ରାହତ ଦୁବାଇ ଯାଇଥିଲେ। କିନ୍ତୁ ଖୋଦ ରାହତ ଏକ ଭିଡିଓ ଜାରି କରି ଏହାକୁ ଖଣ୍ଡନ କରିଛନ୍ତି । କୌଣସି ଗିରଫଦାରି ହୋଇନଥିବା ସେ କହିଛନ୍ତି ।
ଏହା ପୂର୍ବରୁ ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ରାହତ ଫତେହ ଅଲ୍ଲୀ ଖାଁଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଦୁବାଇ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା ବୋଲି କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।
ରାହତ ଫତେହ ଅଲ୍ଲୀ ଖାଁ ଏବଂ ତାଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ସଲମାନ୍ ଅହମ୍ମଦ ରାହତଙ୍କ ବିରୋଧରେ ଦୁବାଇ ଏବଂ ଅନ୍ୟାନ୍ୟ ସହରରେ ମାମଲା ରୁଜୁ କରିଥିଲେ ।
ଚଳିତ ବର୍ଷ ପ୍ରାରମ୍ଭରେ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫ୍ ଆଇଏ) ରାହତ ଫତେହଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ସେ ଗତ ୧୨ ବର୍ଷ ମଧ୍ୟରେ ସ୍ଥାନୀୟ ଓ ଅନ୍ତର୍ଜାତୀୟ ସଙ୍ଗୀତ କନସର୍ଟରୁ ପ୍ରାୟ ୮ ବିଲିୟନ ଟଙ୍କା ରୋଜଗାର କରିଥିବା ଅଭିଯୋଗ ହୋଇଥିଲା। ଏଭଳି ସ୍ଥିତିରେ ଏଜେନ୍ସି ଗାୟକଙ୍କ ବିରୋଧରେ ମନି ଲଣ୍ଡରିଂ ଓ ଟିକସ ଠକେଇ ଅଭିଯୋଗର ତଦନ୍ତ ଆରମ୍ଭ କରିଛି।