ନୂଆଦିଲ୍ଲୀ: ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋଅପରେସନ୍ (ଓଆଇସି) ପକ୍ଷରୁ ଆବୁଧାବିରେ ଆୟୋଜିତ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସି ଯୋଗ ଦେବେନାହିଁ । ଏହି ସମ୍ମିଳନୀରେ ଭାରତକୁ ନିମନ୍ତ୍ରଣ କରାଯିବାକୁ ନେଇ ଅସନ୍ତୁଷ୍ଟ ଅଛି ପାକିସ୍ତାନ। କୁରେସି କହିଛନ୍ତି, ‘ଏହି ସମ୍ମିଳନୀରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବାରୁ ମୁଁ ଯୋଗ ନ ଦେବାକୁ ସ୍ଥିର କରିଛି।’ ପୂର୍ବରୁ ଭାରତକୁ ସମ୍ମିଳନୀରୁ ବାଦ୍ ଦେବାକୁ ପାକିସ୍ତାନ ଦାବି କରିଥିଲା। ଏ ନେଇ ଓଆଇସିକୁ ବିଧିବଦ୍ଧ ଚିଠି ଲେଖିଥିଲା ପାକିସ୍ତାନ। ମାତ୍ର ଏହି ଦାବିକୁ ଗ୍ରହଣ କରି ନ ଥିଲା ଓଆଇସି।
ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋଅପରେସନ୍ (ଓଆଇସି) ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଗତ କାଲି ଆବୁଧାବିଠାରେ ପହଞ୍ଚିଛନ୍ତି। ଏହି ସମ୍ମିଳନୀରେ ପ୍ରାୟ ୫୦ଟି ଇସଲାମିକ୍ ଦେଶର ବୈଦେଶିକ ମନ୍ତ୍ରୀ ଯୋଗ ଦେଇଛନ୍ତି।