ପାକିସ୍ତାନ-ତାଲିବାନ ଡ୍ରଗ୍‌ କାରବାର: ଗୁଜରାଟରୁ ୨୧ ହଜାର କୋଟିର ନିଶାଦ୍ରବ୍ୟ ଜବତ

ନୂଆଦିଲ୍ଲୀ: ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଡିଆର୍‌ଆଇ (ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ) ଗତ ସପ୍ତାହରେ ୨୧ ହଜାର କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରିଛି। ଭାରତରେ ଯୋଗାଣ ପାଇଁ ଏହି ନିଶାଦ୍ରବ୍ୟ ଆଫଗାନିସ୍ତାନର କାନ୍ଦାହାରରୁ ଆସିଥିବା ଜଣାପଡ଼ିଛି। ପ୍ରାଥମିକ ଆକଳନରୁ ଏହି ନିଶାଦ୍ରବ୍ୟର ମୂଲ୍ୟ ୩,୫୦୦ କୋଟି ବୋଲି କୁହାଯାଉଥିଲା। କିନ୍ତୁ ୬ ଦିନର ତଦନ୍ତ ପରେ ଜବତ ହୋଇଥିବା ନିଶାଦ୍ରବ୍ୟର ମୂଲ୍ୟ ୨୧ ହଜାର କୋଟି ବୋଲି ଜଣାପଡ଼ିଛି। ବିପୁଳ ପରିମାଣର ‌ହେରୋଇନ ମଧ୍ୟ ଜବତ ହୋଇଛି। ଗୁଇନ୍ଦା ସୂତ୍ରରୁ ଜାଣିବାକୁ ମିଳିଛି ଯେ, ଏହି ନିଶାଦ୍ରବ୍ୟ କାନ୍ଦାହାରରୁ ଆସିଛି। ଏହା ହିଁ ଆଇଏସ୍‌ଆଇ ଏବଂ ତାଲିବାନର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସୃଷ୍ଟି କରିବାର ଏକମାତ୍ର ବାଟ। ପୂର୍ବର ଘନି ସରକାର ଏହି ନିଶାଦ୍ରବ୍ୟ ବନ୍ଦ କରିଥିଲେ କିନ୍ତୁ ଏବେ ଏହା ପୁଣିଥରେ ଆରମ୍ଭ ହୋଇଛି। ଦିଲ୍ଲୀରେ ଥିବା ଆଫଗାନ ନାଗରିକଙ୍କୁ ଏବେ ଜେରା କରାଯାଉଛି।

ମିଳିଥିବା ସୂଚନାନୁଯାୟୀ ପରୋକ୍ଷ ଭାବେ ସେମାନେ ଆଇଏସ୍‌ଆଇ ସହ ଜଡ଼ିତ। କିନ୍ତୁ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇପାରିବ। ଆର୍ଥିକ ସ୍ଥିତି ଭୁଶୁଡ଼ି ପଡ଼ିବାପରେ ତାଲିବାନ ଏହାକୁ ପାଣ୍ଠି ସଂଗ୍ରହର ଏକମାତ୍ର ପାଣ୍ଠି ଭାବେ ଗ୍ରହଣ କରୁଛି। ଆଫଗାନିସ୍ତାନରେ ପ୍ରସ୍ତୁତ ନିଶାଦ୍ରବ୍ୟ ଜବତ ହୋଇଥିବା କୁହାଯାଉଛି। ୨ଟି କଣ୍ଟେନର୍‌ରୁ ୨୯୮୮.୨୧୯ କିଲୋଗ୍ରାମର ନିଶାଦ୍ରବ୍ୟ ମିଳିଛି। ଅହମଦାବାଦ, ଦିଲ୍ଲୀ, ଚେନ୍ନାଇ, ଗାନ୍ଧୀଧାମରେ ସର୍ଚ୍ଚ‌୍ ଅପରେସନ୍‌ ଜାରି ରହିଛି। ଉକ୍ତ ମାମଲାରେ ୨ ଜଣ ଗିରଫ ହୋଇଛନ୍ତି ଏବଂ ଏକାଧିକ ସଂସ୍ଥାକୁ ତଦନ୍ତ ପରିସରକୁ ଅଣାଯାଇଛି। ଏତେ ପରିମାଣରେ ନିଶାଦ୍ରବ୍ୟ ଜବତ ହେବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର