ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ମୁମ୍ବାଇକୁ ପ୍ରଥମେ ‘ପାକ୍ ଅଧିକୃତ କାଶ୍ମୀର’ ଓ ପରେ ‘ପାକିସ୍ତାନ’ ସହ ତୁଳନା କରିବା ଟ୍ବିଟ୍କୁ ନେଇ ପାକିସ୍ତାନରେ ଝଡ଼ ସୃଷ୍ଟି ହୋଇଛି। ପାକିସ୍ତାନର କଳାକାରମାନେ କଙ୍ଗନାଙ୍କୁ ପରିହାସ କରି ଟ୍ବିଟ୍ କରିଛନ୍ତି। ବିଶିଷ୍ଟ ପାକିସ୍ତାନୀ ବ୍ୟଙ୍ଗ ଅଭିନେତା ଜାରାର୍ ଖୁରୋ କଙ୍ଗନାଙ୍କ ପାକିସ୍ତାନ ମନ୍ତବ୍ୟ ପରେ ଟ୍ବିଟ୍ କରିଛନ୍ତି, ‘ବିୱି ହମାରେ କୋଇ ଲେନ ଦେନ ନେହିଁ ହୈ ଆପ୍ କେ ନାଟକ୍ ସେ’। ଜାରାର୍ ପରିହାସ ଛଳରେ କହିଛନ୍ତି କଙ୍ଗନାଙ୍କ ନାଟକବାଜିରେ ତାଙ୍କର କିଛି କରିବାର ନାହିଁ।
କଙ୍ଗନା ତାଙ୍କର ଅଫିସ ଭାଙ୍ଗିବା ସମୟର ଏକ ଫଟୋ ସହ ମୁମ୍ବାଇକୁ ପାକିସ୍ତାନ କହି ଟ୍ବିଟ୍ କରିଥିଲେ। ତେବେ କଙ୍ଗନାଙ୍କ ଏହି ପାକିସ୍ତାନ ଟ୍ବିଟ୍କୁ ନେଇ ପାକିସ୍ତାନରେ କଙ୍ଗନାକୁ ବିରୋଧ କରାଯାଇଛି। ପାକିସ୍ତାନୀମାନେ କଙ୍ଗନାଙ୍କୁ ପରିହାସ କରି ନାନା ପ୍ରକାର ଟ୍ବିଟ୍ କରିଛନ୍ତି। ଆଉ ଜଣେ ପାକିସ୍ତାନୀ ମେହର୍ ତରାର୍ ଟ୍ବିଟ୍ କରିଛନ୍ତି, ‘ପ୍ରିୟ କଙ୍ଗନା, ଆପଣ ନିଜ ସ୍ବାର୍ଥ ପାଇଁ ରାଜନୈତିକ ଲଢ଼େଇ କରନ୍ତୁ, ମାତ୍ର ଦୟାକରି ଆମ ଦେଶର ନାମ ନିଅନ୍ତୁ ନାହିଁ। ଆମ ଦେଶରେ କୌଣସି ଅଭିନେତା, ଅଭିନେତ୍ରୀଙ୍କ ଘର ଭାଙ୍ଗି ଦିଆଯାଏ ନାହିଁ।’ ଏହାର ଜବାବରେ କଙ୍ଗନା ଟ୍ବିଟ୍ କରିଛନ୍ତି, ‘ପାକିସ୍ତାନ, ଗଣତନ୍ତ୍ରର ମୃତ୍ୟୁ’। କଙ୍ଗନାକୁ ଏହି ଟ୍ବିଟ୍କୁ ନେଇ ପାକିସ୍ତାନୀମାନେ କଙ୍ଗନାକୁ ଟାର୍ଗେଟ୍ କରିଛନ୍ତି।