ଏଲ୍‌ଓସି ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ, ପାକ୍‌ ସେନା ଟାର୍ଗେଟ୍‌ରେ ସ୍କୁଲ୍‌ ଓ ଜନବସତି

ପୁଞ୍ଚ୍‌/ରାଜୌରି: ପାକିସ୍ତାନ ସବୁ ସୀମା ଟପିଗଲାଣି। ଏଲ୍‌ଓସି ନିକଟରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରିବା ଏବେ ପାକିସ୍ତାନର ଅଭ୍ୟାସରେ ପରିଣତ ହୋଇଛି। ପ୍ରତିଦିନ ଅସ୍ତ୍ରବିରତି ଉଲ୍ଲଂଘନ କରି ହତାଶ ପାକିସ୍ତାନ କେବଳ ଜନବସତିକୁ ଟାର୍ଗେଟ କରୁଥିବାରୁ ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଉଛି। କଶ୍ମୀରରେ ହିଂସା ସୃଷ୍ଟି ପାଇଁ ଆତଙ୍କବାଦୀଙ୍କ ଅନୁପ୍ରବେଶ କରାଇବାକୁ ପାକ୍‌ ସେନା ଅହରହ ପ୍ରୟାସ କରୁଛି। ତେବେ ଏଥିରେ ସଫଳତା ମିଳୁନଥିବାରୁ ପାକ୍‌ ସେନା ହତାଶ ହୋଇ କଶ୍ମୀରରେ ସ୍କୁଲ୍‌ଗୁଡ଼ିକୁ ମଧ୍ୟ ଟାର୍ଗେଟ୍‌ କରିବାକୁ ପଛାଉ ନାହିଁ। ଭୟରେ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଆଉ ସ୍କୁଲ୍‌ ଛାଡ଼ୁନାହାନ୍ତି। ଆଜି ସକାଳ ୧୦ଟାରେ ପୁଞ୍ଚ୍‌ ଏବଂ ରାଜୌରି ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା ଅଂଚଳରେ ପାକ୍‌ ସେନା ଦ୍ବାରା ଆଗୁଆ ଘାଟି , ସାଧାରଣ ଜନବସତି ଏବଂ ସ୍କୁଲ୍‌କୁ ଟାର୍ଗେଟ୍‌ କରି ଗୁଳିଗୋଳା ମାଡ଼ କରିଥିଲା।

ପୁଞ୍ଚ୍‌ ଜିଲ୍ଲା ସ୍ଥିତ ମନକୋଟ୍‌ ଏବଂ ମେନ୍ଧର ସେକ୍ଟରରେ ପାକିସ୍ତାନ ପଟୁ ଗୁଳିବର୍ଷା ହୋଇଥିବା ବେଳେ ଭାରତ ମଧ୍ୟ ଏହାର ପାଲଟା ଆକ୍ରମଣ କରିଥିଲା। ପାକ୍‌ ଗୁଳିବର୍ଷା ବେଳେ ଏକ ସ୍କୁଲ୍‌ରେ ପ୍ରାୟ ୫୦ ଜଣ ଛାତ୍ର ଆଜି ଫସି ଯାଇଥିଲେ। କିନ୍ତୁ ସୁରକ୍ଷାକର୍ମୀମାନେ ସମସ୍ତ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ସେହିପରି ବାଲାକୋଟ୍‌ ସେକ୍ଟରର ଅନ୍ୟ ଏକ ସ୍କୁଲ୍‌ର ଛାତ୍ରମାନେ ମଧ୍ୟ ପାକ୍‌ ଗୁଳିମାଡ଼ରେ ଫସି ଯାଇଥିଲେ। ସେମାନଙ୍କୁ ସୁରକ୍ଷାକର୍ମୀମାନେ ସୁରକ୍ଷିତ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ।

ସମ୍ବନ୍ଧିତ ଖବର