ଇସଲାମାବାଦ: ପାକିସ୍ତାନ ସାଧାରଣ ନିର୍ବାଚନରେ ବହୁମତ ଠାରୁ ଦୂରରେ ଥିବା ଇମରାନ୍ ଖାଁଙ୍କ ପାର୍ଟି ‘ତହରିକ-ଏ-ଇନସାଫ୍’ ନୂଅାଁ ସରକାର ଗଢ଼ିବାକୁ ଘୋଷଣା କରିଛି। ପିଟିଆଇ ଘୋଷଣା କରିଛି ଯେ, ସ୍ୱାଧୀନତା ଦିବସ ପୂର୍ବରୁ ଇମରାନ୍ ଖାଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଦଳ ସ୍ୱାଧୀନ ଓ ଛୋଟ ଦଳର ସାଂସଦକୁ ନେଇ ମେଣ୍ଟ ସରକାର ଗଢ଼ିବାକୁ ଦାବି କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାକିସ୍ତାନରେ ଜୁଲାଇ ୨୫ରେ ହୋଇଥିବା ନିର୍ବାଚନ ପରେ ପାକିସ୍ତାନ ତହରିକ-ଏ-ଇନସାଫ୍ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। କିନ୍ତୁ ଏକାକୀ ସରକାର ଗଢ଼ିବା ପାଇଁ ସଂଖ୍ୟାଗରିଷ୍ଠତା ନଥିବାରୁ ଅନ୍ୟ ଦଳର ସମର୍ଥନ ଆବଶ୍ୟକ କରୁଛି। ପିଟିଆଇ ନେତା ନଇନୁଲ ହକ ଶନିବାର ଗଣମାଧ୍ୟମକୁ କହିଛନ୍ତି, ସରକାର ଗଢ଼ିବା ପାଇଁ ସ୍ୱାଧୀନ ପ୍ରାର୍ଥୀ ଓ ଛୋଟ ଛୋଟ ଦଳ ସହିତ ଯୋଗାଯୋଗ ଚାଲିଛି। ଆମେ ଆମର କାମ କରିଛୁ, ସେ (ଇମରାନ ଖାଁ) ଅଗଷ୍ଟ ୧୪ ପୂର୍ବରୁ ତାଙ୍କର କାମ କରିବେ।
ସୂଚନାଯୋଗ୍ୟ ପାକିସ୍ତାନ ନିର୍ବାଚନ ଆୟୋଗ ଦ୍ୱାରା ପୂରା ସଂସଦୀୟ ଫଳାଫଳ ଅନୁସାରେ ପିଟିଆଇକୁ ୧୧୬ ସିଟ୍ ମିଳିଛି, ଯାହାକି ସାଧାରଣ ବହୁମତ ଠାରୁ ୧୧ଟି କମ୍। ପିଏମ୍ଏଲ୍କୁ ୬୪ଟି ସିଟ ମିଳିଥିବା ବେଳେ ପିପିପିକୁ ୪୩ଟି ଆସନ ମିଳିଛି।
ସଂସଦର ନିମ୍ନ ଗୃହ ପାକିସ୍ତାନର ନ୍ୟାସନାଲ ଆସେମ୍ବଲିରେ ମୋଟ ୩୪୨ ସଦସ୍ୟ ଅଛନ୍ତି, ଯେଉଁଥିରୁ ୨୭୨ ସିଟର ନିର୍ବାଚନ ପ୍ରତକ୍ଷ୍ୟ ଭାବରେ ଅନୁଷ୍ଠିତ ହୋଇଥାଏ। ସରକାର ଗଠନ ପାଇଁ ୧୭୨ ସିଟ ହାସଲ କରିବା ଜରୁରୀ ଅଟେ।