ପାକିସ୍ତାନକୁ ଝଟକା : ଜୁନ ପର୍ଯ୍ୟନ୍ତ ଏଫଏଟିଏଫ ଧୂସର ତାଲିକାରେ ରହିବ

ପ୍ୟାରିସ : ପାକିସ୍ତାନ ଆସନ୍ତା ଜୁନ ମାସ ପର୍ଯ୍ୟନ୍ତ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ)ର ଗ୍ରେ ଲିଷ୍ଟ ବା ଧୂସର ତାଲିକାରେ ରହିବ । ଏହି ସମୟ ମଧ୍ୟରେ ପାକିସ୍ତାନ ଯଦି ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ରୋକିବା କ୍ଷେତ୍ରରେ ଆଖିଦୃଷ୍ଟିଆ ପଦକ୍ଷେପ ନ ନିଏ ତେବେ ତାକୁ କଳାତାଲିକାଭୁକ୍ତ କରାଯିବ । ଏଫଏଟିଏଫ ପକ୍ଷରୁ ପାକିସ୍ତାନକୁ ଏକ ୨୭ ସୁତ୍ରୀ କାର୍ଯ୍ୟସୂଚୀ ପ୍ରଦାନ କରାଯାଇଛି । ଏସବୁ ଉପରେ ପାକିସ୍ତାନକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ । ଏହା କରିବାରେ ବିଫଳ ହେଲେ ପାକିସ୍ତାନକୁ କଳାତାଲିକାଭୁକ୍ତ କରାଯିବ ।

ଗୁରୁବାରଦିନ ପ୍ୟାରିସଠାରେ ଶେଷ ହୋଇଥିବା ଏଫଏଟିଏଫର ବୈଠକରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି, ବିଶ୍ୱବ୍ୟାଙ୍କ, ଜାତିସଂଘ ପରି ଅନ୍ତର୍ଜାତୀୟ ସଂସ୍ଥା ଓ ୨୦୫ ଦେଶର ପ୍ରାୟ ୮୦୦ ପ୍ରତିନିଧି ଯୋଗ ଦେଇଥିଲେ । ଏହି ବୈଠକରେ ପାକିସ୍ତାନକୁ ଧୂସର ତାଲିକାରେ ରଖିବା ସଂପର୍କିତ ପ୍ରସ୍ତାବକୁ ଅଧିକାଂଶ ସଦସ୍ୟ ଦେଶ ସମର୍ଥନ କରିଥିଲେ । ଏପରିକି ପାକିସ୍ତାନର ମିତ୍ରଦେଶ ଚୀନ ଓ ସାଉଦିଆରବ ମଧ୍ୟ ସମର୍ଥନ କରିଥିଲେ । କେବଳ ତୁର୍କୀ ଏହି ପ୍ରସ୍ତାବକୁ ବିରୋଧ କରିଥିଲା ।

ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉ ନଥିବାରୁ ପାକିସ୍ତାନକୁ ଏଫଏଟିଏଫ ଗତ ୨୦୧୮ରୁ ଗ୍ରେ (ଧୂଷର) ତାଲିକାରେ ରଖିଛି । ଗତ ଅକ୍ଟୋବର ମାସରେ ହୋଇଥିବା ଏଫଏଟିଏଫ ପ୍ଲାନେରୀ ବୈଠକରେ ମଧ୍ୟ ଏହି ଗ୍ରେ ମାନ୍ୟତାକୁ ବଜାୟ ରଖାଯାଇଥିଲା ଓ ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଫେବ୍ରୁଆରି ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ।

ସମ୍ବନ୍ଧିତ ଖବର