ପାକିସ୍ତାନକୁ ପୁଣି ଝଟକା, ଏଫଏଟିଏଫ ଧୂସର ତାଲିକାରେ ବଜାୟ ରହିବ

ପ୍ୟାରିସ : ଅନ୍ତର୍ଜାତୀୟ ସ୍ତରରେ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫଏଟିଏଫ) ପାକିସ୍ତାନକୁ ଧୂସର ତାଲିକାରେ ବଜାର ରଖିବାକୁ ନିଷ୍ପତ୍ତି ନେଇଛି । ଏହାର ଅର୍ଥ ହେଉଛି ପାକିସ୍ତାନ ଉପରେ ଏହି ଅନ୍ତର୍ଜାତୀୟ ସଂସ୍ଥାର ସତର୍କ ଦୃଷ୍ଟି ବଜାୟ ରହିବ ।

ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି ଏଫଏଟିଏଫ ପକ୍ଷରୁ କୁହାଯାଇଛି ଯେ ବେଆଇନ ଅର୍ଥ କାରବାର ଓ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦ କରିବା ଦିଗରେ ପାକିସ୍ତାନ କେତେକ ପଦକ୍ଷେପ ନେଇଛି । ଏଫଏଟିଏଫ ପକ୍ଷରୁ ପାକିସ୍ତାନକୁ କୁହାଯାଇଥିବା ୨୭ଟି ପଦକ୍ଷେପ ମଧ୍ୟରୁ ପାକିସ୍ତାନ ୨୬ଟି ପଦକ୍ଷେପ ଗ୍ରହଣ କରିଛି । ଗୋଟିଏ କ୍ଷେତ୍ରରେ ପାକିସ୍ତାନ ବିଫଳ ହୋଇଛି ।ତାହା ହେଉଛି ଜାତିସଂଘ ଘୋଷିତ ଅନ୍ତର୍ଜାତୀୟ ଆତଙ୍କବାଦୀ ହାଫିଜ ସଇଦ ଓ ମାସୁଦ ଆଝାର ବିରୁଦ୍ଧରେ ପାକିସ୍ତାନ କଠୋର ପଦକ୍ଷେପ ନେବାରେ ବିଫଳ ହୋଇଛନ୍ତି । ଏଣୁ ପାକିସ୍ତାନ ଧୂଷର ତାଲିକାରେ ବଜାୟ ରହିବ ବୋଲି ଏଫଏଟିଏଫର ସଭାପତି ଡ. ମାର୍କସ ପ୍ଲେୟେର କହିଛନ୍ତି ।

ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନ ଏଫଏଟିଏଫ ଗତ ୨୦୧୮ରୁ ଗ୍ରେ (ଧୂସର) ତାଲିକାରେ ରଖିଛି ।

ସମ୍ବନ୍ଧିତ ଖବର