ସଂକ୍ରମଣରେ ଚୀନ୍‌କୁ ଟପିଲା ପାକିସ୍ତାନ: ମେକ୍ସିକୋ, ବ୍ରାଜିଲ୍‌ରେ ଦୈନିକ ମୃତ୍ୟୁସଂଖ୍ୟା ବଢ଼ୁଛି

ନୂଆଦିଲ୍ଲୀ: କରୋନା ସଂକ୍ରମଣ ମାମଲାରେ ପାକିସ୍ତାନ ଚୀନ୍‌କୁ ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନରେ ୪,୬୮୮ ନୂଆ ମାମଲା ଚିହ୍ନଟ ହୋଇଛି। ପାକିସ୍ତାନରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ୨୪୬ ରହିଛି। ଅନ୍ୟପକ୍ଷେ ଚୀନ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୮୪ ହଜାର ୧୬୦ ରହିଛି। ଚୀନ୍‌ ଏବେ ସଂକ୍ରମଣରେ ବିଶ୍ବରେ ୧୮ତମ ସ୍ଥାନରେ ରହିଛି। ପାକିସ୍ତାନରେ ବିଗତ ୨୪ ଘଣ୍ଟା ମଧ୍ୟରେ ୮୨ ଜଣଙ୍କ ମୃତ୍ୟୁ ହେବା ସହ ଦେଶରେ ମୋଟ୍‌ ୧୭୭୦ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ବ୍ରାଜିଲ୍‌ ଏବଂ ମେକ୍ସିକୋରେ ଦୈନିକ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି।

ବ୍ରାଜିଲ୍‌ରେ ଦିନକ ମଧ୍ୟରେ ୧୩୪୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ୍‌ ମୃତ୍ୟୁସଂଖ୍ୟା ୩୨ ହଜାର ୫୪୮ରେ ପହଞ୍ଚିଛି। ଅନ୍ୟପକ୍ଷେ ବ୍ରାଜିଲ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୮ ହଜାର ୬୩୩ ନୂଆ ମାମଲା ଚିହ୍ନଟ ହୋଇଛି। ୨୧୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ରାଷ୍ଟ୍ର ଏବେ ଭାଇରସ୍‌ର କେନ୍ଦ୍ରସ୍ଥଳ ପାଲଟିଥିବା ବେଳେ ବିଶେଷଜ୍ଞମାନେ କହୁଛନ୍ତି, ବ୍ରାଜିଲ୍‌ରେ ସଂକ୍ରମଣ ଏବେ ବି ଶୀର୍ଷରେ ପହଞ୍ଚିନି। ବ୍ରାଜିଲ୍‌ରେ ଏବେ ମୋଟ୍‌ ସଂକ୍ରମଣ ମାମଲା ୫ ଲକ୍ଷ ୮୪ ହଜାର ଟପିଯାଇଛି। ଆଗକୁ ଅତି ଭୟଙ୍କର ସ୍ଥିତି ଉପୁଜିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅନ୍ୟପକ୍ଷେ ମେକ୍ସିକୋରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟ‌ରେ ୧୦୯୨ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଥର ପାଇଁ ମେକ୍ସିକୋରେ ମୃତ୍ୟୁସଂଖ୍ୟା ୧ ହଜାର ଟପିଛି। ତେବେ ଦୈନିକ ସଂକ୍ରମଣ ମାମଲା ୪ ହଜାରରୁ କମ୍‌ ରହିଛି। ବିଶ୍ବରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷରେ ପହଞ୍ଚିଛି ଏବଂ ୩ ଲକ୍ଷ ୮୮ ହଜାର ଲୋକଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର