ନୂଆଦିଲ୍ଲୀ: ଗତ ମଙ୍ଗଳବାର ପାକିସ୍ତାନର ବଲୁଚିସ୍ତାନରେ ଜାଫର ଏକ୍ସପ୍ରେସ୍ ଟ୍ରେନକୁ ଅପହରଣ କରାଯାଇଥିଲା। ପ୍ରାୟ ୨୦୦ ଯାତ୍ରୀଙ୍କୁ ବଲୁଚ ମୁକ୍ତି ସେନା (ବିଏଲଏ) ବନ୍ଧକ କରିଥିଲା। ଏହି ଘଟଣାକୁ ପ୍ରାୟ ୨୪ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପାକିସ୍ତାନୀ ସୁରକ୍ଷା ବାହିନୀ ବନ୍ଧକମାନଙ୍କୁ ମୁକ୍ତ କରିପାରି ନାହିଁ। 

Advertisment

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ କେବଳ ୧୫୫ ଜଣ ବନ୍ଧକଙ୍କୁ ମୁକ୍ତ କରାଯାଇଛି ଏବଂ ଏହି ଅପରେସନରେ ୨୭ ଜଣ ଅପହରଣକାରୀ ନିହତ ହୋଇଛନ୍ତି।

ବିଏଲଏ କବଳରୁ ମୁକ୍ତ ହୋଇଥିବା ଯାତ୍ରୀମାନେ ଅପହରଣକାରୀମାନଙ୍କ ବର୍ବରତାର କାହାଣୀ ବଖାଣିଛନ୍ତି। ଜଣେ ଯାତ୍ରୀ ବର୍ବରତାର କାହାଣୀ ବଖାଣି କହିଛନ୍ତି, ‘ଅପହରଣକାରୀମାନେ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପରିଚୟପତ୍ର ଯାଞ୍ଚ କରିଥିଲେ। 

ଅପହରଣକାରୀଙ୍କ ଟାର୍ଗେଟରେ ପଞ୍ଜାବୀ ବଂଶୋଦ୍ଭବ ଲୋକମାନେ ଥିଲେ। ପ୍ରଥମେ ଅପହରଣକାରୀମାନେ ପରିଚୟପତ୍ର ଯାଞ୍ଚ କରିଥିଲେ। ସେମାନେ ଜାଣିବାକୁ ଚାହୁଁଥିଲେ ଯେ କିଏ ବଲୁଚିସ୍ତାନରୁ ଏବଂ କିଏ ଅନ୍ୟ ରାଜ୍ୟର। ସେବାକାର୍ଡଗୁଡ଼ିକ ମଧ୍ୟ ଯାଞ୍ଚ କରାଯାଇଥିଲା। ମୋ  ଆଖି ସାମ୍ନାରେ ଦୁଇଜଣ ସୈନିକଙ୍କୁ ଗୁଳି କରାଯାଇଥିଲା ଏବଂ ବାକି ଚାରି ଜଣଙ୍କୁ ଅପହରଣକାରୀ ନିଜ ସାଥୀରେ ‌ନେଇ ଯାଇଥିଲେ । କାରଣ ସେମାନେ ପଞ୍ଜାବ ରାଜ୍ୟର ବାସିନ୍ଦା ଥିଲେ।


ଏହା ପ୍ରଥମଥର ନୁହେଁ ଯେ ବିଏଲଏ ଦ୍ୱାରା ପଞ୍ଜାବୀମାନଙ୍କୁ ଟାର୍ଗେଟ କରାଯାଇଛି, ଏହା ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ଘଟିଛି।  ଯେଉଁଥିରେ ବଲୁଚଲୋକମାନେ ପଞ୍ଜାବୀ ବଂଶୋଦ୍ଭବ ଲୋକଙ୍କୁ ଅଟକାଇ ହତ୍ୟା କରିଥିଲେ। ଅନେକ ଥର ସେମାନେ ରାଜପଥରେ ବସ୍ ଅଟକାଇ ପଞ୍ଜାବୀ ବଂଶୋଦ୍ଭବ ଲୋକଙ୍କୁ ଗୁଳି ମଧ୍ୟ କରିଛନ୍ତି।

ପାକିସ୍ତାନରେ ରାଜନୀତିଠାରୁ ଆରମ୍ଭ କରି ସେନା, ଅମଲାତନ୍ତ୍ର, ନ୍ୟାୟପାଳିକା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ପଞ୍ଜାବୀ ବଂଶୋଦ୍ଭବ ଲୋକମାନେ ଶୀର୍ଷରେ ଅଛନ୍ତି, ଯାହା ଯୋଗୁଁ ବିଏଲଏ ପଞ୍ଜାବୀ ଲୋକଙ୍କୁ ନେଇ ଅସନ୍ତୋଷ ଅଛି।  ବିଏଲଏ ବିଶ୍ବାସ କରେ ଯେ ପଞ୍ଜାବୀ ବଂଶୋଦ୍ଭବ ଲୋକମାନେ ବଲୁଚିସ୍ତାନର ପ୍ରାକୃତିକ ସମ୍ପଦର ଶୋଷଣ କରନ୍ତି।

ବିଏଲଏ ଦ୍ୱାରା ବନ୍ଧକ ରଖାଯାଇଥିବା ଯାତ୍ରୀମାନଙ୍କ ମଧ୍ୟରେ ସେନା କର୍ମଚାରୀ, ଅର୍ଦ୍ଧସାମରିକ ବାହିନୀ, ପୋଲିସ ଏବଂ ଗୁପ୍ତଚର ଏଜେନ୍ସି ଅଧିକାରୀମାନେ ଅନ୍ତର୍ଭୁକ୍ତ।