ସାର୍କରେ ପାକିସ୍ତାନ ଏକଘରିଆ: ତାଲିବାନକୁ ସାମିଲ ପ୍ରସ୍ତାବ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନ ସହ ହାତ ମିଳାଇ କାମ କରୁଥିବା ପାକିସ୍ତାନକୁ ସାର୍କରେ ବଡ଼ ଝଟ୍‌କା ମିଳିଛି। ତାଲିବାନକୁ ସାର୍କରେ ସାମିଲ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜୋର୍‌ଦାର ଉଦ୍ୟମ କରିଥିଲେ ମଧ୍ୟ ଏହାକୁ ଅନ୍ୟ ସଦସ୍ୟ ରାଷ୍ଟ୍ରମାନେ ସମର୍ଥନ କରିନାହାନ୍ତି। ପାକିସ୍ତାନର ପ୍ରସ୍ତାବକୁ ଅତ୍ୟନ୍ତ ଅଯୌକ୍ତିକ ଦର୍ଶାଇ ସାର୍କ‌୍ ବିଦେଶ ମନ୍ତ୍ରୀମାନଙ୍କ ବୈଠକକୁ ବାତିଲ କରାଯାଇଛି। ଚଳିତ ସପ୍ତାହରେ ଜାତିସଂଘ ସାଧାରଣ ପରିଷଦ ଅଧିବେଶନ ପରିପ୍ରେକ୍ଷୀରେ ସାର୍କ‌୍ ବୈଠକ ହେବାର ଥିଲା । କିନ୍ତୁ ଆଫଗାନିସ୍ତାନର ଅଂଶଗ୍ରହଣ ପ୍ରସଙ୍ଗରେ ପାକିସ୍ତାନର ଦାବିକୁ ନେଇ ଅସହମତି ପରିପ୍ରେକ୍ଷୀରେ ବୈଠକ ବାତିଲ ହୋଇଥିଲା।

ସୂଚନାନୁଯାୟୀ, ପାକିସ୍ତାନ ସାର୍କ ବୈଠକ‌ରେ ଆଫଗାନିସ୍ତାନର ପୂର୍ବ ଅସରଫ ଘନି ସରକାରରେ ପ୍ରତିନିଧିଙ୍କ ଅଂଶଗ୍ରହଣକୁ ବିରୋଧ କରିଥିଲା ଏବଂ ତାଲିବାନ ପ୍ରତିନିଧି ହିଁ ବୈଠକରେ ଯୋଗ ଦେବାପାଇଁ ଯୁକ୍ତି ରଖିଥିଲା। ପାକିସ୍ତାନ ଓ ତାଲିବାନର ଏହି ମିଳିତ ଦାବି ନେଇ ବିସ୍ତୃତ ଆଲୋଚନା ପରେ ଏହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହି ପ୍ରସଙ୍ଗରେ ହିଁ ସାର୍କ‌୍ ‌ବୈଠକ ବାତିଲ ହୋଇଥିବାରୁ ସଦସ୍ୟ ରାଷ୍ଟ୍ରମାନେ ଏଥିପାଇଁ ପାକିସ୍ତାନର ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି। ଆଫଗାନିସ୍ତାନ ସାର୍କ‌୍‌ର ସର୍ବକନିଷ୍ଠ ସଦସ୍ୟ ରାଷ୍ଟ୍ର। ୨୦୦୭ରେ ଏହା ସାର୍କରେ ଯୋଗ ଦେଇଥିଲା। ଭାରତ, ବାଂଲାଦେଶ,ଭୁଟାନ, ନେପାଳ, ମାଳଦ୍ବୀପ, ଶ୍ରୀଲଙ୍କା ଏବଂ ପାକିସ୍ତାନ ଏହାର ଅନ୍ୟ ସଦସ୍ୟ ରାଷ୍ଟ୍ର। ସାର୍କ ସଚିବାଳୟ ୧୯୮୭ ଜାନୁଆରି ୧୭ରେ କାଠମାଣ୍ଡୁରେ ସ୍ଥାପନ ହୋଇଥିଲା।

ସମ୍ବନ୍ଧିତ ଖବର