ବୁଡ଼ାଳିଙ୍କ ସହାୟତାରେ ନିଶା ଔଷଧ ଚୋରା ଚାଲାଣ କରୁଛି ପାକିସ୍ତାନ

ହୁସେନିଓ୍ଵାଲା (ଫିରୋଜପୁର): ପାକିସ୍ତାନର ନିଶା ଔଷଧ ଚୋରା ଚାଲାଣକାରୀମାନେ ଆନ୍ତର୍ଜାତିକ ସୀମା ଟପିବାକୁ ଭାରତୀୟ ପଞ୍ଜାବକୁ ଏବେ ତାଲିମପ୍ରାପ୍ତ ବୁଡ଼ାଳିଙ୍କ ସହାୟତା ନେବା ଆରମ୍ଭ କରି ଦେଇଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ପ୍ରକାଶ।

ସୀମା ସୁରକ୍ଷା ବଳ ପହରା କଡ଼ା କରି ଦେବା ପରେ, ପଞ୍ଜାବର ଫିରୋଜପୁର, ଗୁରୁଦାସପୁର ଏବଂ ଅମୃତସର ଆନ୍ତର୍ଜାତିକ ସୀମା ଲଂଘନ କରିବାକୁ ଚୋରା ଚାଲାଣକାରୀମାନେ ୩୫ କି. ମି. ଦୀର୍ଘ ନଦୀକୂଳ ଅଞ୍ଚଳରେ ତାଲିମପ୍ରାପ୍ତ ବୁଡ଼ାଳିଙ୍କୁ ନିୟୋଜିତ କରିବା ଆରମ୍ଭ କରିଛନ୍ତି।

ନିଶା ଔଷଧ ଯୋଗାଣ ସଙ୍କୁଚିତ କରିବାକୁ ନିକଟ ଅତୀତରେ ସୀମା ସୁରକ୍ଷା ବଳ ସୀମାନ୍ତରେ ମାନବ ବିହୀନ ଆକାଶ ଯାନ, ଲେଜର୍‌ ପାଚେରି ଏବଂ ଥର୍ମାଲ୍‌ ଇମେଜର୍‌ ପ୍ରଚଳନ କରିବା ସହ ଅଧିକ ଲୋକ ମୁତୟନ କରିଛି।

ପଞ୍ଜାବରେ ୫୫୩ କିଲୋମିଟର୍‌ ଦୀର୍ଘ (୫୧୮ କି. ମି. ସ୍ଥଳ ଏବଂ ୩୩ କି. ମି. ନଦୀକୂଳ ଅଞ୍ଚଳ) ଆନ୍ତର୍ଜାତିକ ସୀମା ପହରା ଦେଉଥିବା ସୀମା ସୁରକ୍ଷା ବଳ ଗତ ତିନି ବର୍ଷ ମଧ୍ୟରେ ଶହ ଶହ କୋଟି ଟଙ୍କା ମୂଲ୍ୟର ୭୨୯ କିଲୋ ନିଶା ଔଷଧ (ବହୁଳାଂଶ ହେରୋଇନ୍‌) ଜବତ କରିଛି।

ଫିରୋଜପୁର ସେକ୍ଟର୍‌ରୁ ସର୍ବାଧିକ ୩୪୦ କିଲୋ ନିଶାଔଷଧ ଉଦ୍ଧାର କରାଯାଇଥିଲା। ଜଣେ ଫେରିବାଲାକୁ ପଚରା ଉଚୁରା କଲାବେଳେ ରାଜ୍ୟକୁ ନିଶା ଔଷଧ ଚାଲାଣ କରାଇବାର ନୂତନ ପଦ୍ଧତ୍ତି ସଂକ୍ରାନ୍ତରେ ଜଣା ପଡ଼ିଥିଲା। ଜଣେ ବୁଡ଼ାଳି ତାଙ୍କୁ ମାଲ୍‌ ଯୋଗାଇ ଦେଇଥିବା କଥା ସେ କହିଥିଲେ।

ଗୁଇନ୍ଦା ଅଧିକାରୀମାନେ କହିଛନ୍ତି, ସମ୍ପୂର୍ଣ୍ଣ ବେଶପୋଷାକ ସାଜିଥିବା ସ୍ୱତନ୍ତ୍ର ଭାବେ ତାଲିମ୍‌ପ୍ରାପ୍ତ ବୁଡ଼ାଳିମାନେ ସତ୍‌ଲୁଜ୍‌ ଏବଂ ରବି ନଦୀ ଦେଇ ପଞ୍ଜାବରେ ପ୍ରବେଶ କରୁଛନ୍ତି। ହ୍ଵାଟ୍‌ସ୍‌ଆପ୍‌ ଜରିଆରେ ଏହି ବୁଡ଼ାଳିମାନେ ସୀମାପାରି କଥାବର୍ତ୍ତା କରୁଛନ୍ତି ବୋଲି କୁହାଯାଉଛି।

ବାଡ଼ ବୁଜା ଯାଇ ନ ଥିବା ନଦୀକୂଳ ଅଞ୍ଚଳକୁ ସିଲ୍‌ କରିବା ନିମନ୍ତେ ଆମେ ପ୍ରଯୁକ୍ତିବିଦ୍ୟା ସହ ବହୁ ପଦ୍ଧତି ବ୍ୟବହାର କରୁଛୁ। କିନ୍ତୁ, ବୁଡ଼ାଳିମାନେ ବାସ୍ତବ ଆହ୍ଵାନ ହୋଇ ଉଭା ହୋଇଛନ୍ତି ବୋଲି ଫିରୋଜପୁର ସେକ୍ଟର୍‌ର ଜଣେ ବରିଷ୍ଠ ସୀମା ସୁରକ୍ଷା ବଳ ଅଧିକାରୀ କହିଛନ୍ତି। ପାଣି ଫୋଟକା ଉପରକୁ ନ ଉଠିବା ନିମନ୍ତେ ବୁଡ଼ାଳିମାନେ ରି-ବ୍ରିଦର୍‌ ବ୍ୟବହାର କରୁଥିବା କଥା କହନ୍ତି ସେ ମହାଶୟ।

ନୂତନ ପଦ୍ଧତି ସଂକ୍ରାନ୍ତ ଏକ ପୂର୍ଣ୍ଣ ବିବରଣୀ ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଯାଇଛି ବୋଲି ସୀମା ସୁରକ୍ଷା ବଳ ଯବାନମାନେ ନିଶ୍ଚିତ କରି କହିଛନ୍ତି। ଭାରତୀୟ ପଟର କେତେକ ବିଶ୍ୱସ୍ଥ କୃଷକଙ୍କୁ ମଧ୍ୟ ଚୋରାଚାଲାଣକାରୀମାନେ କୋରିୟର୍‌ ଭାବେ ବ୍ୟବହାର କରୁଛନ୍ତି। ସେମାନଙ୍କ କୃଷି ଉପକରଣରେ ନିଶା ଔଷଧ ଲୁଚାଇ ଥିବା ସେମିତିକା କେତେକ କୃଷକ ନିକଟ ଅତୀତରେ ଧରା ପଡ଼ିଥିଲେ। ଫିରୋଜପୁର ଅନ୍ତର୍ଗତ ହୁସେନିଓ୍ଵାଲା ସୀମାର ତତ୍ତ୍ୱ ନେଉଥିବା ବିଏସ୍‌ଏଫ୍‌ ୧୦୫-ବାଟାଲିୟାନ୍‌ର କମାଣ୍ଡାଣ୍ଟ୍‌ ଜେ କେ ବର୍ଦ୍ଦି କହନ୍ତି ଯେ ଭାରତୀୟ ସେନାଙ୍କ ଦ୍ୱାରା ଏ ଅଞ୍ଚଳରେ ନିଶାଔଷଧ ଚୋରା ଚାଲାଣର ପ୍ରଳପ୍ରଦ ତଦାରଖ କରାଯାଉଛି।

ଅନ୍ୟ ଏକ ରିପୋର୍ଟ ଅନୁସାରେ ପହରା କଡ଼ା କରାଯାଇ ଥିବାରୁ ସୀମା ଆରପାରିରୁ ଏ ବର୍ଷ ହେରୋଇନ୍‌ ଚୋରାଚାଲାଣ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର