ଶ୍ରୀନଗର: ତେବେ ପୁଣି ଥରେ ସର୍ଜିକାଲ ଷ୍ଟ୍ରାଇକ୍ କଲେ ତାହାର ଚରମ ପରିଣତି ଭୋଗିବାକୁ ଭାରତ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ପାକିସ୍ତାନ ଚେତାଇ ଦେଇଛି । ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତରେ ପ୍ରତି ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଦୋଷଦେବା ଏକ ନିୟମିତ କାର୍ଯ୍ୟକ୍ରମ ହୋଇଗଲାଣି । ଏପରିିକି ତଦନ୍ତ ପୂର୍ବରୁ ମଧ୍ୟ ଭାରତ ସରକାର ଓ ଭାରତୀୟ ଗଣମାଧ୍ୟମ ପାକିସ୍ତାନକୁ ଦୋଷ ଦେବା ଦୁର୍ଭାଗ୍ୟଜନକ।
ସୂଚନାଯୋଗ୍ୟ ଯେ ଗତ ଶନିବାରଦିନ ଜାମ୍ମୁର ସୁଞ୍ଜୁଆନ ଆର୍ମି କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ହେବା ପରେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ସରାକାରଙ୍କ ଉପରେ ଚାପ ବଢିଚାଲିଛି । ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ଦାବି କରାଯାଉଛି । ଏହି ଆତଙ୍କବାଦୀ ଆକ୍ରମଣରେ ଭାରତର ୫ ଜଣ ଜବାନ ସହିଦ ହୋଇଥିବାବେଳେ ସେନା କାର୍ଯ୍ୟାନୁଷ୍ଠାନରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଅପରେସନ ଶେଷ ନହେଉଣୁ ଶ୍ରୀନଗରସ୍ଥିତ ଏକ ସିଆରପିଏଫ କ୍ୟାମ୍ପରେ ମଧ୍ୟ ଆତଙ୍କବାଦୀ ଆକ୍ରମଣ ଘଟିଛି । ଏହି ଆତଙ୍କବାଦୀ ଘଟଣାରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ ଇ ମହମ୍ମଦ ସାମିଲ ଥିବା ସଂଦେହ କରାଯାଉଛି ।
ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢିଚାଲିଥିବାବେଳେ ସୀମାରେ ଯୁଦ୍ଧଭଳି ପରିସ୍ଥିତି ଉପୁଜିଛି । ପ୍ରାୟ ପ୍ରତିଦିନ ଆତଙ୍କବାଦୀ ଘଟଣା ଓ ସୀମାପାର ଯୁଦ୍ଧବିରତି ଉଲ୍ଲଙ୍ଘନ ଘଟୁଛି । କିନ୍ତୁ ଏହା ଦ୍ୱାରା ନିରୀହ ସାଧାରଣ ଜନତା କଷ୍ଟ ସହୁଛନ୍ତି । ଏସବୁ ସତ୍ତ୍ୱେ ଯୁଦ୍ଧ ଏହି ସମସ୍ୟାର ସମାଧାନ ନୁହେଁ । କେବଳ କଥାବାର୍ତ୍ତା ମାଧ୍ୟମରେ ଏହାର ସମାଧାନ ହୋଇପାରିବ ବୋଲି ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି କହିଛନ୍ତି ।