ନୂଆଦିଲ୍ଲୀ: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ବିରୋଧରେ କଂଗ୍ରେସ ‘ଅପରେସନ୍‌ ସିନ୍ଦୂର’କୁ ‌ନେଇ ଯେଉଁ ଅଭିଯୋଗ ଆଣିଛି ସେ ତାକୁ ମିଥ୍ୟା ଏବଂ ଘଟଣାର ଭୁଲ୍‌ ବ୍ୟାଖ୍ୟା କରାଯାଇଥିବା କହି ଖଣ୍ଡନ କରିଛନ୍ତି। ମେ’ ୭ରେ ଭାରତୀୟ ସେନାବାହିନୀ ପାକିସ୍ତାନ ଏବଂ ପିଓକେରେ ଆତଙ୍କୀ ଆଡ଼ା ଉପରେ ଆକ୍ରମଣ କରିବାର ୩୦ ମିନିଟ୍‌ ପରେ ପାକିସ୍ତାନକୁ ଏନେଇ ଅବଗତ କରାଯାଇଥିଲା। ଦିଲ୍ଲୀରେ ଆଜି ବିଦେଶ ବ୍ୟାପାର ମନ୍ତ୍ରାଳୟ ସଂସଦୀୟ ସିସିଏମ୍‌ ( କନସଲଟେଟିଭ୍‌ କମିଟି ମିଟିଂ)ବୈଠକର ଅଧ୍ୟକ୍ଷତା କରିବା ଅବସରରେ ଜୟଶଙ୍କର ଏହି ସୂଚନା ‌ଦେଇଛନ୍ତି।  ବୈଠକରେ ଅପରେସନ୍‌ ସିନ୍ଦୂର ଏବଂ ପାକିସ୍ତାନରୁ ହେଉଥିବା ସୀମାପାର ଆତଙ୍କବାଦ ସମ୍ପର୍କରେ ଅବଗତ କରାଯାଇଛି। ଜୟଶଙ୍କର କହିଥିଲେ, ଅତ୍ୟନ୍ତ ସତର୍କତାର ସହ କେବଳ ଆତଙ୍କୀ ଭିତ୍ତିଭୂମିକୁ ଟାର୍ଗେଟ୍‌ କରାଯାଇଛି ଏବଂ ପାକିସ୍ତାନ କୌଣସି ପ୍ରକାର ଉତ୍ତେଜନା ନବଢ଼ାଇବା ପାଇଁ ତୁରନ୍ତ ଏହାସହ ‌ଯୋଗାଯୋଗ କରାଯାଇଥିଲା। ବୈଠକରେ ଜୟଶଙ୍କର ଜାତୀୟ ଏକତା ପାଇଁ ଅନୁରୋଧ କରିଥିଲେ। 

Advertisment

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ଅଭିଯୋଗ କରିଥି‌ଲେ ଯେ ଜୟଶଙ୍କର ‘ଅପରେସନ୍‌ ସିନ୍ଦୂର’ ପୂର୍ବରୁ ପାକିସ୍ତାନକୁ ଅବଗତ କରିବା ଏକ ବଡ଼ ଅପରାଧ। ସରକାର ଅପରେସନ୍‌ ସିନ୍ଦୂର ସଂକ୍ରାନ୍ତରେ ପାକିସ୍ତାନକୁ ଅବଗତ କରିଛନ୍ତି ବୋଲି ଜୟଶଙ୍କର ଖୋଲାଖୋଲି ସ୍ବୀକାର କରିଥିବା ରାହୁଲ ଅଭିଯୋଗ କରିଥିଲେ। ରାହୁଲ ମଧ୍ୟ ଜୟଶଙ୍କରଙ୍କର ଏକ ଭିଡିଓ ‌ସେୟାର କରିଥିଲେ ଯେଉଁଥି‌ରେ ଜୟଶଙ୍କର କହୁଛନ୍ତି, ‘ଅପରେସନ୍‌ ଆରମ୍ଭ‌ରେ ଆମେ ପାକିସ୍ତାନକୁ ଏକ ବାର୍ତ୍ତା ପଠାଇଲୁ। ଆମେ ଆତଙ୍କବାଦୀ ଭିତ୍ତିଭୂମି ଉପରେ ଆକ୍ରମଣ କରିଛୁ। କୌଣସି ସାମରିକ ଘାଟି ଉପରେ ଆକ୍ରମଣ କରିନୁ। ତେଣୁ ସେନା ଏଥିରେ ହସ୍ତକ୍ଷେପ ନକରି ଏହି ପ୍ରକ୍ରିୟାରୁ ଦୂରେଇ ରହିବା ଉଚିତ ବୋଲି ଜୟଶଙ୍କର କହିଥିଲେ। କିନ୍ତୁ ରାହୁଲ ଏହା ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ ଅପରେସନ୍‌ ପୂର୍ବରୁ ସରକାର ପାକିସ୍ତାନକୁ ଜଣାଇ ଦେଇଛନ୍ତି। ଏହା ଏକ ଅପରାଧ ଥିଲା। ଆଜି ଜୟଶଙ୍କର ରାହୁଲଙ୍କର ଏହି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି।