ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଗ୍ରେ ତାଲିକାରେ ହିଁ ରହିବ ପାକିସ୍ତାନ: ଏଫଏଟିଏଫ୍‌

ପ୍ୟାରିସ୍: ପ୍ୟାରିସରେ ଥିବା ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ୍ (ଏଫଏଟିଏଫ୍) ପାକିସ୍ତାନକୁ ପୁଣିଥରେ ଗ୍ରେ ତାଲିକାରେ ରଖିଛି। ଏହା ସହ ବେଆଇନ୍ ଅର୍ଥ କାରବାର ଉପରେ ମକଦ୍ଦମା ଓ ତଦନ୍ତ କରିବାକୁ ପାକିସ୍ତାନକୁ କୁହାଯାଇଛି।

ଏଫଏଟିଏଫର ଚାରିଦିନ ଧରି ଚାଲିଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆତଙ୍କବାଦୀଙ୍କ ଅର୍ଥ ନେଣଦେଣ ଓ ବେଆଇନ୍ ଅର୍ଥ କାରବାର ଉପରେ କୋହଳ ମନୋଭାବ ପୋଷଣ କରୁଥିବାରୁ ୨୦୧୮ରୁ ପାକିସ୍ତାନ ଏହି ଗ୍ରେ ତାଲିକାରେ ଅଛି। ଅନ୍ୟପକ୍ଷରେ ପାକିସ୍ତାନ ୨୦୨୩ ସୁଦ୍ଧା  ଏଫଏଟିଏଫର ସମସ୍ତ ସର୍ତ୍ତ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି।

ସୂଚନା ମୁତାବକ, ଏଫଏଟିଏଫ୍ ୨୦୨୧ରେ ୩୪ରୁ ୪ଟି ସର୍ତ୍ତ ପୂରଣ କରିପାରି ନଥିବାରୁ ପାକିସ୍ତାନକୁ ଜାନୁଆରି ୨୦୨୨ ପର୍ଯ୍ୟନ୍ତ ଗ୍ରେ ତାଲିକାରେ ରଖିଥିଲା। ସେତେବେଳେ ଏଫଏଟିଏଫ କହିଥିଲା ଯେ, ଜାତିସଂଘ  ପ୍ରତିବନ୍ଧକ ଲଗାଇଥିବା ଆତଙ୍କବାଦୀଙ୍କ ଶୀର୍ଷ ନେତାଙ୍କୁ ଦଣ୍ଡ ଦେବାରେ ପାକିସ୍ତାନ ଅବହେଳା କରିଥିଲା। ଏହା ସହିତ ଆତଙ୍କବାଦୀଙ୍କ ନିକଟକୁ ଯାଉଥିବା ଅର୍ଥକୁ ରୋକିବାକୁ ମଧ୍ୟ ପାକିସ୍ତାନ ଅସମର୍ଥ ହୋଇଥିଲା ।

ତେବେ ଏହି ତାଲିକାରେ ରହିବା ଯୋଗୁଁ ପାକିସ୍ତାନ ଆମଦାନୀ-ରପ୍ତାନୀ ଓ ଅନ୍ତର୍ଜାତୀୟ ସ୍ତରରେ ଋଣ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଛି।  ଲଗାତାର ୪ ବର୍ଷ ପାଇଁ ପାକିସ୍ତାନ ଏହି ତାଲିକାରେ ରହିଆସୁଛି। ଅକ୍ଟୋବର ୨୦୧୮, ୨୦୧୯, ୨୦୨୦, ଏପ୍ରିଲ୍ ୨୦୨୧ ଓ ଅକ୍ଟୋବର ୨୦୨୧ ହୋଇଥିବା ସମୀକ୍ଷା ବୈଠକର ନିଷ୍ପତ୍ତି ଅନୁସାରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଥିବାରୁ ଗ୍ରେ ତାଲିକାରେ ରଖିଛି ଏଫଏଟିଏଫ୍ ।

ସମ୍ବନ୍ଧିତ ଖବର