ତାଲିବାନଙ୍କ ଆକ୍ରମଣର ପରବର୍ତ୍ତୀ ଲକ୍ଷ୍ୟ ହେବ ପାକିସ୍ତାନ

କାବୁଲ: ଅନ୍ତର୍ଜାତୀୟ ସମୁଦାୟ ବିଶ୍ବାସ କରୁଛନ୍ତି ଯେ, ତାଲିବାନମାନେ ଏତେ ଶୀଘ୍ର କାବୁଲ ଅଧିକାର କରିନେବା ସମ୍ଭବ ହେଲା କେବଳ ପାକିସ୍ତାନ ଯୋଗୁ। ପାକିସ୍ତାନର ଆର୍ଥିକ, ବୌଦ୍ଧିକ, କୂଟନୈତିକ ଓ ଅସ୍ତ୍ରଶସ୍ତ୍ର ଯୋଗାଣ ଭିତ୍ତିକ ସହଯୋଗ ପାଇ ତାଲିବାନ ଏତେଦୂର ଆଗେଇପାରିଲା। ପୁଣି ତାଲିବାନମାନଙ୍କ ବିଜୟରେ ପାକିସ୍ତାନ ସବୁଠାରୁ ବେଶି ଲାଭବାନ୍ ହୋଇଥିବା ବିଶ୍ବାସ କରାଯାଉଛି।

ତେବେ ଆଫଗାନିସ୍ତାନରେ ବାସ୍ତବତା କିଛି ଅଲଗା ଥିବା ଜଣାପଡ଼ୁଛି। କାରଣ ଅନେକ ତାଲିବାନ ଯୋଦ୍ଧା ଭାବୁଛନ୍ତି, ତାଙ୍କ ଆକ୍ରମଣର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ପାକିସ୍ତାନ। ଆଫଗାନିସ୍ତାନରେ ଇସଲାମର ମୌଳିକ ମୂଲ୍ୟବୋଧ ଓ ଶିକ୍ଷା ଉପରେ ଭିତ୍ତି କରି ତାଲିବାନଙ୍କ ସରକାର ଗଢ଼ାଯାଇଛି। ଏହା ହିଁ ସେମାନଙ୍କ ମୂଳ ଦାବି ଥିଲା। ଏପରିକି ଦୁଇବର୍ଷ ଧରି କଥାବାର୍ତ୍ତା ଚାଲିବା ପରେ ଯେଉଁ ୨୦୨୦ ଦୋହା ଚୁକ୍ତିନାମା ହେଲା ସେତେବେଳେ ବି ସେମାନେ ଏହି ଦାବି କରିଥିଲେ। ତାଲିବାନ ନେତୃତ୍ବ ଆଫଗାନିସ୍ତାନରେ ନିଜର ସଫଳତା ପାଇଁ ବାହାଦୁରି ନେବାକୁ ଲଢ଼େଇ କରୁଥିବା ବେଳେ ଅନେକ ଯୋଦ୍ଧା ବିଶ୍ବାସ କରନ୍ତି ଯେ ଆଫଗାନିସ୍ତାନ ଦଖଲ କରିବା ଓ ସେଠାରେ ଇସଲମିକ୍ ସାରିଆ ଆଇନ ଥୋପିବା ଦ୍ବାରା ତାଙ୍କ ସଂଘର୍ଷର ଶେଷ ହୋଇନାହିଁ। ବରଂ ଏହା ଆରମ୍ଭ ମାତ୍ର। ଅବଶିଷ୍ଟ ବିଶ୍ବକୁ ମଧ୍ୟ ଇସଲାମିକ୍ ଶାସନାଧୀନ କରିବା ଏବଂ ସାରିଆ ଆଇନ ଲାଗୁ କରିବା ସେମାନଙ୍କ ଚରମ ଲକ୍ଷ୍ୟ।

କାବୁଲର ବିଭିନ୍ନ ସ୍ଥାନରେ ନିୟୋଜିତ ତାଲିବାନ ସୁରକ୍ଷା ବଳଙ୍କ ସହ କଥାବାର୍ତ୍ତାରୁ ଜଣାପଡ଼ିଛି ଯେ, ସେମାନଙ୍କ ପରବର୍ତ୍ତୀ ଲକ୍ଷ୍ୟ ହେଉଛି ପାକିସ୍ତାନ। ତାଲିବାନମାନେ ବିଶ୍ବାସ କରନ୍ତି ଯେ ପାକିସ୍ତାନରେ ବର୍ତ୍ତମାନ ଯେଉଁ ସରକାର ଚାଲିଛି, ତାହା ଇସଲାମ-ସମ୍ମତ ନୁହେଁ। ତେଣୁ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଓ ଅନ୍ୟାନ୍ୟ ଉପାୟରେ ଏହି ସରକାରକୁ ହଟାଇ ସେଠାରେ ସାରିଆ ଆଇନ ଲାଗୁ କରିବା ଲାଗି ସେମାନେ ପ୍ରତିଜ୍ଞାବଦ୍ଧ। ପାକିସ୍ତାନ ଅତୀତରେ ଆମେରିକା ବାୟୁସେନାକୁ ନିଜର ଘାଟି ବ୍ୟବହାର କରିବାକୁ ଅନୁମତି ଦେଇଥିଲା। ଫଳରେ ସେଠା‌ରୁ ଆମେରିକା ବିମାନ ଓ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରି ତାଲିବାନମାନଙ୍କୁ ମାରିଥିଲା। ପାକିସ୍ତାନ ଆମେରିକାର ସଖି କଣ୍ଢେଇ ସରକାର ଭାବେ ରହିଆସିଛି। ତେଣୁ ଆମେ ଏ ସରକାରକୁ ହଟାଇ ଖାଣ୍ଟି ଇସଲାମିକ୍ ସରକାର ପ୍ରତିଷ୍ଠା କରିବାକୁ ବଦ୍ଧପରିକର ବୋଲି ଜଣେ ତାଲିବାନ ଯୋଦ୍ଧା କହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର