ଇସଲାମାବାଦ: ଗତ କିଛି ମାସ ହେଲାଣି ପାକିସ୍ତାନ ଆର୍ଥିକ ସମସ୍ୟା ଦେଇ ଗତି କରୁଛି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ୍ ଆକାଶଛୁଆଁ ହୋଇଥିବା ବେଳେ ଏବେ ଦେଶକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ପାକିସ୍ତାନ ସରକାର ଗଧର ଚମଡ଼ା ବିକ୍ରି କରିବେ ବୋଲି ଜଣାପଡ଼ିଛି। ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପାକିସ୍ତାନ ବର୍ତ୍ତମାନ ଗଧମାନଙ୍କ ଆଶ୍ରୟ ନେଇଛି। ପାକ୍ ଅନୁଭବ କରୁଛି ଯେ ଦେଶର ଆର୍ଥିକ ସ୍ଥିତିର ଭାରକୁ ଗଧମାନଙ୍କ ଉପରେ ରଖି ଦେଶର ଆର୍ଥିକ ସମସ୍ୟାକୁ ଦୂର କରିବ। ଏଥିପାଇଁ ପାକିସ୍ତାନ, ଚୀନ୍ ସହିତ ୪ଟି ଚୁକ୍ତିନାମା ସ୍ୱାକ୍ଷର କରିଛି।
ସୂଚନା ମୁତାବକ, ଚୀନରେ ଗଧର ଚାହିଦା ବହୁତ ଅଧିକ। ବାକି ଦୁନିଆ ଗଧର ଉପଯୋଗିତା ଉପରେ ପ୍ରଶ୍ନ କରୁଥିବାବେଳେ ଚୀନ୍ ପାଇଁ ଗଧ ଏକ ମୂଲ୍ୟବାନ ସମ୍ପତ୍ତି। ଚାଇନିଜମାନେ ଗଧ ଚର୍ମର ମୂଲ୍ୟ ଏବଂ ଏଥିରୁ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ଜାଣନ୍ତି, ଯାହାର ଚାହିଦା ଦେଶରେ ଅଧିକ ରହିଛି।
ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ପାକିସ୍ତାନରେ ଅର୍ଥର ଅଭାବ ଥାଇପାରେ, କିନ୍ତୁ ଦେଶରେ ଗଧମାନଙ୍କର ଅଭାବ ନାହିଁ। ବିଶ୍ୱରେ ଗଧଙ୍କ ସଂଖ୍ୟାକୁ ଦେଖିଲେ ପାକିସ୍ତାନ ଏବେ ତୃତୀୟ ସ୍ଥାନରେ ରହିଛି। ୨୦୧୪ରୁ ୨୦୧୬ମଧ୍ୟରେ ପାକିସ୍ତାନ ଚାଇନାକୁ ୨ଲକ୍ଷରୁ ଅଧିକ ଗଧର ଚର୍ମ ରପ୍ତାନି କରିଥିଲା। ହେଲେ ପରେ ଏହା ଏକ ପ୍ରମୁଖ ସମସ୍ୟା ସୃଷ୍ଟି କରିଥିଲା। ପାକିସ୍ତାନରେ ଗଧର ମାଂସ ବିକ୍ରି ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା, ଯାହା ପାକିସ୍ତାନରେ ଗୁରୁତର ଅପରାଧ ଶ୍ରେଣୀରେ ଆସିଥାଏ।
ବର୍ତ୍ତମାନ ପାକିସ୍ତାନ ଦେଶର ଆର୍ଥିକ ସମସ୍ୟା ପାଇଁ ଗଧ ଚର୍ମ ବିକ୍ରି କରିବ ବୋଲି ଜଣାପଡ଼ିଥିବା ବେଳେ ଆମଦାନୀ ଶୁଳ୍କକୁ ୨ପ୍ରତିଶତକୁ ହ୍ରାସ କରିଛି। କୁହାଯାଉଛି ଯେ, ୨୦୨୨-୨୩ବର୍ଷରେ ପାକିସ୍ତାନରେ ଗଧ ସଂଖ୍ୟା ୫.୮ ମିଲିୟନକୁ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/ଓ-6.jpg)