ପୁଣି ନିଷ୍ପତ୍ତି ବଦଳାଇଲା ପାକିସ୍ତାନ : ଦୁଇ ଦିନ ଭାରତୀୟ ଶିଖ୍ ତୀର୍ଥଯାତ୍ରୀଙ୍କଠାରୁ ୨୦ଡଲାର ଆଦାୟ କରିବ ନାହିଁ ବୋଲି ଘୋଷଣା କଲା
ନୂଆଦିଲ୍ଲୀ : ବାରମ୍ବାର ନିଜର ନିଷ୍ପତ୍ତି ବଦଳାଇବା ପରେ ଏବେ ଅଧିକାରୀକ ଭାବେ ସ୍ପଷ୍ଟ ଘୋଷଣା କରିଛି ପାକିସ୍ତାନ । ଶୁକ୍ରବାର ସକାଳ ସମୟରେ ପାକିସ୍ତାନ ସରକାର ଭାରତୀୟ ଶିଖ୍ ତୀର୍ଥଯାତ୍ରୀଙ୍କଠାରୁ ୨୦ଡଲାର ଆଦାୟ କରାଯିବା ନେଇ ଘୋଷଣା କରିଥିବା ବେଳେ ସଂନ୍ଧ୍ୟା ସୁଦ୍ଧା ନିଜର ନିଷ୍ପତ୍ତିରେ ପରିବର୍ତ୍ତନ ଆଣିଛନ୍ତି । କର୍ତ୍ତାରପୁର କରିଡର ଉଦ୍ଘାଟନ ଦିନ(ନଭେମ୍ବର୯) ଓ ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ(ନଭେମ୍ବର ୧୨)ଦିନ ଭାରତରୁ ଆସୁଥିବା ଶିଖ୍ ତୀର୍ଥଯାତ୍ରୀଙ୍କଠାରୁ କୌଣସି ପ୍ରବେଶ ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ପାକିସ୍ତାନ ସରକାର ଘୋଷଣା କରିଛନ୍ତି ।

ସୂଚନା ମୁତାବକ, ନଭେମ୍ବର ୧ରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ନଭେମ୍ବର୯ ଓ ନଭେମ୍ବର ୧୨ରେ ଭାରତୀୟ ଶିଖ୍ ତୀର୍ଥଯାତ୍ରୀଙ୍କଠାରୁ କୌଣସି ପ୍ରବେଶ ଶୁଳ୍କ ଆଦାୟ କରାଯିବ ନାହିଁ ବୋଲି ଘୋଷଣା କରିଥିଲେ । ଏହା ସହ କର୍ତ୍ତାରପୁର ଦେଇ ଆସୁଥିବା ତୀର୍ଥଯାତ୍ରୀଙ୍କ ପାଇଁ ପାସପୋର୍ଟ ଆବଶ୍ୟକ ହେବ ନାହିଁ ବୋଲି ମଧ୍ୟ କହିଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ଘୋଷଣା ପରେ ପାସପୋର୍ଟ ବାଧ୍ୟତାମୂଳକ ବୋଲି କହିଥିଲା ପାକ୍ ସେନା । ଏହା ପରେ ପ୍ରବେଶ ଶୁଳ୍କ ଲାଗୁ ହେବ ବୋଲି ମଧ୍ୟ ଶୁକ୍ରବାର ସକାଳେ ଖବର ମିଳିଥିଲା । ଯାହାକୁ ସଂନ୍ଧ୍ୟାସୁଦ୍ଧା ବଦଳାଇଛି ପାକିସ୍ତାନ ।