ଦେଶରେ ଥିବା ସବୁ ପାକିସ୍ତାନୀ, ବାଂଲାଦେଶୀଙ୍କୁ ବିଦା କରାଯିବା ଉଚିତ : ରାଜ ଠାକରେ

ମୁମ୍ବାଇ : ସାରା ଦେଶରେ ନାଗରିକତା (ସଂଶୋଧନ) ଆଇନକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ । ସେ କହିଛନ୍ତି ଯେ ଭାରତରେ ବେଆଇନଭାବେ ରହୁଥିବା ସବୁ ପାକିସ୍ତାନୀ ଓ ବାଂଲାଦେଶୀଙ୍କୁ ବାହାର କରାଯିବା ଉଚିତ । ସେମାନେ ମୁସଲିମ ହୁଅନ୍ତୁ ବା ହିନ୍ଦୁ, ସମସ୍ତଙ୍କୁ ବାହାର କରାଯିବା ଉଚିତ ।

ସେ କହିଛନ୍ତି ଯେ ଭାରତ ଧର୍ମଶାଳା ନୁହେଁ, ଯେ ଯିଏ ଯେଉଁଠୁ ଆସିଲା ସେ ଏଠାରେ ରହିବ । ମାନବତାର ଠିକା ଭାରତ ନେଇ ନାହିଁ । ଭାରତରେ ୧୩୦ କୋଟି ଲୋକ ରହୁଛନ୍ତି, ଦେଶ ସେମାନଙ୍କ କଥା ଠିକ ଭାବେ ବୁଝିପାରୁନାହିଁ, ବାହାରୁ ଲୋକ ଆଣିବା କ’ଣ ଆବଶ୍ୟକ ବୋଲି ସେ ପ୍ରଶ୍ନ କରିଛନ୍ତି । ବେଆଇନ ଅନୁପ୍ରବେଶକାରୀ ପ୍ରସଙ୍ଗକୁ ହିନ୍ଦୁ ମୁସଲିମ ଦିଗରୁ ଦେଖାଯିବା ଉଚିତ ନୁହେଁ । ତେବେ ଏହି ଆଇନରେ ମୁସଲିମମାନଙ୍କ ପ୍ରତି ବାଛବିଚାର କରାଯାଇଛି ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ନାଗରିକତା (ସଂଶୋଧନ) ଆଇନ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର