ଭିଡିଓ ଜାରି କଲେ ଗିଲ୍‌ଗିଟ୍‌ ସ୍ବେଚ୍ଛାସେବୀ, ବାଲାକୋଟରୁ ଶବ ହଟାଇଥିଲା ପାକ୍‌ ସେନା

୨୦୦ରୁ ଅଧିକ ଆତଙ୍କବାଦୀ ମରିଥିବା ସ୍ବୀକାର କଲେ ପାକ୍‌ ସେନା ଅଧିକାରୀ

ୱାସିଂଟନ: ବାଲାକୋଟରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରେ ସେଠାକାର ସ୍ଥିତି କିଭଳି ଥିଲା ଏବଂ ପାକିସ୍ତାନ ସେନା କିଭଳି ଯୁଦ୍ଧକାଳୀନ ଭିତ୍ତିରେ ପ୍ରମାଣ ନଷ୍ଟ ପାଇଁ ପ୍ରୟାସ କରୁଥିଲା ସେ ସଂକ୍ରାନ୍ତ କେତେକ ତଥ୍ୟ ଏବଂ ଭିଡିଓ ଆଜି ସାର୍ବଜନୀନ ହୋଇଛି। ଆମେରିକାରେ ରହୁଥିବା ଗିଲ୍‌ଗିଟ୍‌ କାର୍ଯ୍ୟକର୍ତ୍ତା ସେଂଗ୍‌ ହସ୍‌ନାନ ସୋରିଙ୍ଗ୍ ଆଜି ବାଲାକୋଟ ସ୍ଥିତ ଜୈସ୍‌ ଶିବିର ଉପରେ ବିମାନ ଆକ୍ରମଣ ନେଇ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ କରିଛନ୍ତି। ଆକ୍ରମଣ ପରେ ଉକ୍ତ ଅଂଚଳରେ ପାକ୍‌ ସେନାର ଗତିବିଧି ଏବଂ ବୟାନ ସମ୍ବଳିତ ଭିଡିଓ ଜାରି ହୋଇଥିବାରୁ ପାକିସ୍ତାନର ଅଡ଼ୁଆ ବଢ଼ିଯାଇଛି। ପାକିସ୍ତାନର କେତେକ ଉର୍ଦ୍ଦୁ ଖବରକାଗଜରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ଭାରତର ବିମାନ ଆକ୍ରମଣରେ ନିପାତ ହୋଇଥିବା ୨ ଶହରୁ ଅଧିକ ଆତଙ୍କବାଦୀଙ୍କ ଶବକୁ ପାକିସ୍ତାନ ସେନା ଯୁଦ୍ଧକାଳୀନ ଭିତ୍ତିରେ ଅନ୍ୟତ୍ର ସ୍ଥାନାନ୍ତର କରିଥିଲା। ବାଲାକୋଟରୁ ଶବଗୁଡ଼ିକୁ ପାକ୍‌ ସେନା ଖୈବର ପଖ୍‌ତୁନ୍‌ଖା ନେଇଯାଇଥିଲା। ଶବ ପରିବହନ ପ୍ରକ୍ରିୟା ଚାଲିଥିବା ବେଳେ ପାକିସ୍ତାନ ସେନାର କେତେକ ଅଧିକାରୀ ଲୋକଙ୍କୁ ଆଶ୍ବାସନା ଦେଇ ଭୟଭୀତ ନହେବାକୁ କହୁଥିଲେ। ମରିଥିବା ୨ ଶହ ଆତଙ୍କବାଦୀ ଆଲ୍ଲାଙ୍କ ପାଖକୁ ଚାଲି ଯାଇଛନ୍ତି ବୋଲି ସେ କହୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଆତଙ୍କବାଦୀମାନଙ୍କୁ ସ୍ବାଧୀନତା ସଂଗ୍ରାମୀ ବୋଲି ପାକ୍‌ ସେନା ଅଧିକାରୀ କହିବା ସହ ସେମାନେ ପାକିସ୍ତାନ ସରକାରଙ୍କ ଶତ୍ରୁ ସହିତ ମୁକାବିଲା କରୁଥିଲେ ବୋଲି କହିଥିଲେ। ମୃତ ଆତଙ୍କବାଦୀଙ୍କ ପରିବାରକୁ ସହାୟତା ଦିଆଯିବ ବୋଲି ମଧ୍ୟ ଭିଡିଓରେ ଜଣେ ଅଧିକାରୀ ଆଶ୍ବାସନା ଦେଉଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର