ପୁଣି ଅସ୍ତ୍ରବିିରତି ଉଲଂଘନ କଲା ପାକ୍‌ : ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ସ୍କୁଲ୍‌ ବନ୍ଦ, ପାରାଦୀପ ବନ୍ଦରରେ ହାଇଆଲର୍ଟ ଜାରି

ପୁଞ୍ଚ୍‌: ଶାନ୍ତି ପ୍ରତିଷ୍ଠାର ମିଛ ଢୋଲ ପିଟି ବାରମ୍ବାର ଅସ୍ତ୍ର ବିରତି ଉଲଂଘନ କରିଚାଲିଛି ପାକିସ୍ତାନ। ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ଥିବା କୃଷ୍ଣାଘାଟୀରେ ଗୁରୁବାର ସକାଳୁ  ପୁଣି ଥରେ ପାକିସ୍ତାନ ପକ୍ଷରୁ ଗୋଳା ବର୍ଷଣ କରାଯାଇଛି। ସକାଳ ୬ଟା ବେଳେ ଏଭଳି ଘଟିଥିବା ସୂଚନା ମିଳିଛି।  ବାରମ୍ବାର ଅସ୍ତ୍ର ବିରତି ଉଲଂଘନ  ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତାକୁ ପ୍ରୋତ୍ସାହନା ଦେଇଛି। ଗତକାଲି ପାକିସ୍ତାନର ଆକାଶୀ ଆକ୍ରମଣ ପରେ ସମାରିକ ଭାବେ ଗୁରୁତ୍ବପୂର୍ଣ୍ଣ ସ୍ଥାନଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। ଓଡ଼ିଶାର ପାରାଦୀପ ବନ୍ଦରରେ  ହାଇ ଆଲର୍ଟ ଜାରି କରାଯାଇଥିବା ଜଣାପଡ଼ିଛି। ଫଳରେ ପାରାଦୀପ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି।

ବୁଧବାର ଆକ୍ରମଣ ଉଦ୍ୟମ କରିଥିବା ପାକିସ୍ତାନୀ ଲଢୁଆ ବିମାନ ଏଫ୍‌-୧୬ ଭାରତୀୟ ସେନା ଗୁଳିରେ ତଳେ ଖସି ପଡ଼ିବା ପରେ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ। ଯୁଦ୍ଧରେ ନୁହେଁ, କଥାବର୍ତ୍ତା ହୋଇ ସମାଧାନ କରିବାରେ ହିଁ ଉଭୟ ପକ୍ଷ ପାଇଁ ଭଲ ବୋଲି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ। ମାତ୍ର ସାମାନ୍ୟ ସୁଯୋଗ ପାଇଲେ ଅସ୍ତ୍ର ବିରତି ଉଲଂଘନ କରି ଭାରତ ଉପରେ ଆକ୍ରମଣ କରିବାକୁ ଟିକେ ବି ପଞ୍ଚଘୁଞ୍ଚା ଦେଉ ନାହିଁ ପାକ୍‌। ପୂର୍ବରୁ ଉରିଠାରେ ମଧ୍ୟ ପାକିସ୍ତାନ ଗୋଳା ବର୍ଷଣ କରିଥିଲା।

ଭାରତ-ପାକ୍‌ ଭିତରେ ଗୁଳି ବିନିମୟ ଚାଲିଥିବା ବିବାଦ ହେତୁ ନିୟନ୍ତ୍ରଣ ରେଖାର ୫ କିଲୋମିଟର ଦୂରତା ଭିତରେ ସ୍କୁଲ୍‌ଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ସମସ୍ତ ସ୍କୁଲ୍‌କୁ ବନ୍ଦ ରଖିବା ପାଇଁ ଜିଲ୍ଳା ମାଜିଷ୍ଟ୍ରେଟ୍‌ ଏକ ନୋଟିସ୍‌ ଜାରି କରିଛନ୍ତି। କେବଳ ସେତିକି ନୁହେଁ, ଫେବ୍ରୁଆରି ୨୮ରେ ହେବାକୁ ଥିବା ଅଷ୍ଟମ ଓ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷାକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। ସାରା ଦେଶରେ ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି କରାଯାଇଥିବା ବେଳେ ଓଡ଼ିଶାର ପାରାଦୀପ ବନ୍ଦରରେ ବି ହାଇ ଆର୍ଲଟ ଜାରି ହୋଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର