ଏଲ୍‌ଓସିରେ ଧଳା ପତାକା ପ୍ରଦର୍ଶିତ କଲା ପାକ୍‌ ସେନା, ଜବାବୀ ହମ୍‌ଲା ରୋକିବାକୁ ଅନୁରୋଧ କଲା

ପୁଞ୍ଚ: ପାକିସ୍ତାନୀ ସେନା ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲଂଘନ ହେବା ପରେ ଭାରତୀୟ ସେନା ପକ୍ଷରୁ ଗୁଳିଚାଳନା କରାଯାଇଥିଲା। ଏହାର ପରିଣାମ ସ୍ୱରୂପ ୧୧ ତାରିଖ ଦିନ ଜମ୍ମୁ-କଶ୍ମୀରର ହାଜିପୁର ସେକ୍ଟରରେ ଦୁଇଜଣ ପାକ୍‌ ଯବାନ ନିହତ ହୋଇଥିଲେ। ଶନିବାର ଏଇ ଦୁଇ ଯବାନଙ୍କ ମୃତଦେହ ନେବା ଲାଗି ପାକ ସେନା ପକ୍ଷରୁ ‘ଧଳା ପତାକା’ ପ୍ରଦର୍ଶନ କରାଯାଇଥିଲା। ସାଧାରଣତଃ ‘ଧଳା ପତାକା’ ପ୍ରଦର୍ଶନ ଯୁଦ୍ଧ ବିରତି ଅଥବା ଆତ୍ମସମର୍ପଣର ପ୍ରତୀକ ହୋଇଥାଏ।

ଶନିବାର ହାଜିପୁର ସେକ୍ଟରରେ ପାକ ସେନାର ଏକ ଛୋଟ ବଟାଲିଆନ୍‌ ଧଳା ପତାକା ସହ ସୀମା ନିକଟକୁ ଆସିଥିଲେ। ଏହାକୁ ସମ୍ମାନ ଦିଆଯାଇ ଭାରତୀୟ ସେନା ପକ୍ଷରୁ ଗୁଳିଚାଳନା ବନ୍ଦ ରଖାଯାଇଥିଲା। ଏହାପରେ ପାକ୍‌ ଯବାନମାନେ ସେଠାରେ ପଡି ରହିଥିବା ଦୁଇଜଣ ନିହତ ସହକର୍ମୀଙ୍କ ମୃତଦେହ ସଂଗ୍ରହ କରି ନେଇଥିଲେ।

ଗତ ବୁଧବାର ନିୟନ୍ତ୍ରଣ ରେଖା ନିକଟସ୍ଥ ଜମ୍ମୁ-କଶ୍ମୀରର ହାଜିପୁର ସେକ୍ଟରରେ ପାକ୍‌ସେନା ପକ୍ଷରୁ ହଠାତ ଭାରତୀୟ ପୋଷ୍ଟ ଉପରକୁ ଗୁଳି ଚାଳନା କରାଯାଇଥିଲା। ଆଗରୁ ପ୍ରସ୍ତୁତ ଥିବା ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିଲେ। ଜବାବୀ ହାମ୍‌ଲାରେ ଦୁଇ ପାକିସ୍ତାନୀ ଯବାନଙ୍କ ଜୀବନ ଯାଇଥିଲା।

ସମ୍ବନ୍ଧିତ ଖବର