ନୂଆଦିଲ୍ଲୀ: ଖୋଲୁ ଖୋଲୁ ପୁଣି ବନ୍ଦ ହେଲା ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ । ୨୪ ଘଣ୍ଟାରେ ପାକିସ୍ତାନର ନାମୀଦାମୀ ସେଲିବ୍ରିଟିଙ୍କ ଆକାଉଣ୍ଟକୁ ପୁଣି ଥରେ ବ୍ଯାନ୍ କରାଯାଇଥିବା ଦେଖିବାକୁ ମିଳିଛି । ଗତକାଲି କିଛି ପାକିସ୍ତାନୀ ସେଲିବ୍ରିଟି, କ୍ରିକେଟର ଏବଂ କିଛି ନ୍ୟୁଜ ଚେନାଲ ଭାରତରେ ଦେଖିବାକୁ ମିଳିଥିବା ବେଳେ ଏହାକୁ ପୁଣି ଥରେ ବନ୍ଦ କରାଯାଇଛି । 

Advertisment

ହାନିଆ ଆମିର, ସାହିଦ ଆଫ୍ରିଦି, ମହିରା ଖାନ୍, ଫଓ୍ଵାଦ ଖାନ୍ ଭଳି ବ୍ୟକ୍ତିଙ୍କ ଇନଷ୍ଟାଗ୍ରାମ ଏବଂ ଏକ୍ସ ଆକାଉଣ୍ଟ ଭାରତରେ ଆଜି ସକାଳ ଠାରୁ ଦେଖିବାକୁ ମିଳୁନି । ତେବେ ସରକାରୀ ସ୍ତରରେ ଏନେଇ କୌଣସି ସୂଚନା ମିଳିନାହିଁ ।

ତେବେ ଗତକାଲି ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ଉପରୁ ହଟିଥିଲା ପ୍ରତିବନ୍ଧକ । ପାକିସ୍ତାନର ବଡ ବଡ ସେଲିବ୍ରିଟି ଏବଂ ଖେଳାଳୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଉପରୁ ପ୍ରତିବନ୍ଧକ ହଟିଥିଲା । ଏହାପରେ ପାକିସ୍ତାନୀ ଟିଭି ଚ୍ୟାନେଲ ଏବଂ ସୋସିଆଲ ମିଡିଆ ଭାରତରେ ଦେଖିବାକୁ ମିଳୁଛି । ପହଲଗାମ୍ ହମଲା ପରେ ଅପରେସନ ସିନ୍ଦୂର ସମୟରେ ଏହି ପ୍ରତିବନ୍ଧକ ଲଗାଇଥିଲା ଭାରତ । ଅପରେସନ ସିନ୍ଦୂର ବେଳେ ଅପପ୍ରଚାର ଏବଂ ଦଙ୍ଗା ସୃଷ୍ଟିକାରୀ କଣ୍ଟେଣ୍ଟ ପକାଉଥିବାରୁ ପାକିସ୍ତାନୀ ମିଡିଆ ଏବଂ ସୋସିଆଲ ମିଡିଆ ସହ ସେଲିବ୍ରିଟିଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଥିଲା ।

ମାତ୍ର କାଲି ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ସହ ହମ୍ ଟିଭି, ଏଆରୟାଇ ଡିଜିଟାଲ, ହର ପଲ ଜିଓ ଏବେ ଭାରତରେ ଦୃଶ୍ୟମାନ ହୋଇଥିଲେ ବି ଆଜି ଏହା ଆଉ ଦେଖିବାକୁ ମିଳୁନି ।