ଶ୍ରୀନଗର : ଜମ୍ମୁ-କଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଆର ଆର ସ୍ୱାଇଁ ଗୁରୁବାର କହିଛନ୍ତି ଯେ ଅଂଚଳର ଶାନ୍ତିପୂର୍ଣ୍ଣ ବାତାବରଣକୁ ଖରାପ କରିବାକୁ ପାକିସ୍ତାନ ବଡ଼ ଷଡ଼୍ଯନ୍ତ୍ର କରିଛି। ଭାରତୀୟ ସେନା ଶତ୍ରୁକୁ ଉଚିତ ଜବାବ ଦେବାକୁ ସଂକଳ୍ପବଦ୍ଧ ଏବଂ ପାକ୍ ସେନା ଓ ଗୁଇନ୍ଦା ବିଭାଗର କୌଣସି ଚାଲ୍ କାମ ଦେବନାହିଁ ବୋଲି ଡିଜିପି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ୪ ଦିନ ମଧ୍ୟରେ ରିୟାସି, କଠୁଆ ଏବଂ ଡୋଡା ଜିଲ୍ଲାର ୪ଟି ସ୍ଥାନରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ବୁଧବାର ସନ୍ଧ୍ୟାରେ ଡୋଡା ଜିଲ୍ଲାରେ ଆତଙ୍କବାଦୀମାନେ ଏକ ସୁରକ୍ଷା ପାଟ୍ରୋଲିଂ ଦଳ ଉପରକୁ ଗୁଳି ଚଳାଇ ଜଣେ ପୁଲିସ କର୍ମଚାରୀଙ୍କୁ ଆହତ କରିଛନ୍ତି। ତିନି ଦିନ ମଧ୍ୟରେ ଏହି ଅଞ୍ଚଳରେ ଏହା ଚତୁର୍ଥ ଆତଙ୍କବାଦୀ ଆକ୍ରମଣ। ଜୁନ୍ ୯ ତାରିଖରେ ରିୟାସି ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇବା ଫଳରେ ଏହା ଖାଇକୁ ଖସି ପଡ଼ିଥିଲା।
ଏଥିରେ ୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ଏବଂ ୪୧ ଜଣ ଆହତ ହୋଇଥିଲେ। ଏହି ଆକ୍ରମଣ ମାମଲାରେ ପୁଲିସ ୫୦ ଜଣଙ୍କୁ ଅଟକ ରଖି ଜେରା ଚଳାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି। ସେନା, ପୁଲିସ ଏବଂ ସିଆର୍ପିଏଫ୍ ପକ୍ଷରୁ ଆତଙ୍କବାଦୀଙ୍କୁ ନିପାତ ପାଇଁ ଅପରେସନ ଜାରି ରହିଛି। ପୁଲିସ ଡୋଡା ଜିଲ୍ଲାରେ ଦୁଇଟି ଆକ୍ରମଣରେ ସମ୍ପୃକ୍ତ ଥିବା ୪ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିବା ସହ ସେମାନଙ୍କ ବିଷୟରେ ସୂଚନା ଦେଲେ ୨୦ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି। ପ୍ରତ୍ୟେକ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଡୋଡାରେ ଅଧିକ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଆଜି ଗୁଇନ୍ଦା ସୂଚନା ଆଧାରରେ ଚଢ଼ଉ ଜାରି ରହିଛି। ମଙ୍ଗଳବାର ସନ୍ଧ୍ୟାରେ ଡୋଡ଼ାର ଛତରଗାଲ୍ଲାର ଉପରମୁଣ୍ଡରେ ଥିବା ଏକ ଯୁଗ୍ମ ଚେକ୍ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ରାଷ୍ଟ୍ରୀୟ ରାଇଫଲ୍ସର ୫ ଜଣ ଯବାନ ଓ ଜଣେ ସ୍ବତନ୍ତ୍ର ପୁଲିସ ଅଧିକାରୀ (ଏସ୍ପିଓ) ଆହତ ହୋଇଥିଲେ। କାଶ୍ମୀର ଟାଇଗର୍ସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfhhsfsfhsfh.jpg)