ଏହି ପାକିସ୍ତାନୀ ଫିଲ୍ମରେ ଭାରତୀୟ ସେନାକୁ ଖଳନାୟକ ଓ ଆତଙ୍କବାଦୀଙ୍କୁ ହିରୋ ଭାବେ ଦେଖାଯାଇଛି

ଲାହୋର : କାଶ୍ମୀର ଆତଙ୍କବାଦୀ ବୁରହାନ ଓ୍ଵାନିକୁ ଭାରତୀୟ ସେନା ମାରିବାର ଇତି ମଧ୍ୟରେ ତିନି ବର୍ଷ ବିତି ଗଲାଣି । କିନ୍ତୁ ପାକିସ୍ତାନରେ ଏବେ ବି ତାକୁ ଏକ ହିରୋ ଭାବେ ଦେଖାଯାଉଛି । ପାକିସ୍ତାନୀ ଲୋକଙ୍କ ମନରେ ଏକ ଧାରଣା ସୃଷ୍ଟି ହୋଇଛି ଯେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଯିଏକି କାଶ୍ମୀରର ସ୍ୱାଧୀନତା ସଂଗ୍ରାମ ପାଇଁ ଲଢୁଥିଲା । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନରେ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଛି । ଏହାର ନାଁ ରହିଛି ଆଜାଦୀ । ଏହା ମୁଖ୍ୟତଃ ବୁରହାନର ଜୀବନୀକୁ ଲକ୍ଷ୍ୟ ରଖି ତିଆରି କରାଯାଇଛି । ଏଥିରେ ଦେଖାଯାଇଛି ଯେ ଆଜାଦ ନାମକ ମୁଦାହିଦ୍ଦିନ କାଶ୍ମୀରର ଜଙ୍ଗଲରରେ ରହି କାଶ୍ମୀରର ସ୍ୱାଧୀନତା ସଂଗ୍ରାମ ପାଇଁ ଲଢୁଛି । ତାକୁ ଜଣେ ଲଣ୍ଡନରେ କାମ କରୁଥିବା ପାକିସ୍ତାନୀ ସାମ୍ବାଦିକା ଜାରା ଭେଟିବାକୁ କାଶ୍ମୀର ଆସି ତା ପ୍ରେମରେ ପଡିଯାଉଛନ୍ତି ।

ଏହି ଫିଲ୍ମରେ ଜଣେ ଖଳନାୟକ ମଧ୍ୟ ଅଛନ୍ତି । ଯିଏକି ଜଣେ ହିନ୍ଦୁ ରାଜନେତା । ସେ କାଶ୍ମୀରକୁ ଏକ ଶ୍ମଶାନରେ ପରିଣତ କରିଦେବାକୁ ଧମକ ଦେଉଛନ୍ତି । ଆହୁରି ମଧ୍ୟ ଭାରତୀୟ ସେନାକୁ ମଧ୍ୟ ଖଳନାୟକ ଭାବେ ଏଥିରେ ଚିତ୍ରଣ କରାଯାଇଛି । ଭାରତୀୟ ସେନା କିପରି କାଶ୍ମୀରରେ ନରସଂହାର ଚଳାଇଛି ତାହା ଏଥିରେ ଦେଖାଯାଉଛିି । ଫିଲ୍ମଟି ପାକିସ୍ତାନ, ପାକିସ୍ତାନ ଅଧିକୃତ କାଶ୍ମୀର ଓ ଲଣ୍ଡନରେ ସୁଟିଂ ହୋଇଛି । ଏହା ଆସନ୍ତା ଇଦ୍‌ ଅବସରରେ ରିଲିଜ ହେବ ।

ସମ୍ବନ୍ଧିତ ଖବର