ପାକିସ୍ତାନୀ ବିମାନରେ ଯୁବକର ପାଗଳାମୀ, ଯାତ୍ରୀ ଆତଙ୍କିତ

ଇସ୍ଲାମାବାଦ : ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ,(ପିଆଇଏ)ର ବିମାନରେ ସୋମବାରଦିନ ଏକ ଯୁବକର ଉନ୍ମତ୍ତ କାଣ୍ଡ ଯୋଗୁଁ ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ । ପରେ ଯାତ୍ରୀଙ୍କ ଅଭିଯୋଗକ୍ରମେ ତାକୁ ଦୁବାଇରେ କିଛି ସମୟ ପାଇଁ ଗିରଫ କରାଯିବା ପରେ ପୁଣି ପାକିସ୍ତାନକୁ ପଠାଇ ଦିଆଯାଇଥିଲା ।

ପାକିସ୍ତାନୀ ନ୍ୟୁଜ ଚ୍ୟାନେଲ ଏଆରଓ୍ବାଇର ସୂଚନା ଅନୁସାରେ ପେଶାଓ୍ବରରୁ ଦୁବାଇ ଯାଉଥିବା ପିକେ-୨୮୩ ବିମାନରେ ଏହି ଅଘଟଣ ଘଟିଥିଲା । ସଂପୃକ୍ତ ଯୁବକ ବିମାନର ବୋଡିଂ ବେଳେ ବେଶ ସ୍ବାଭାବିକ ଥିଲା । ସେ ଚୁପଚାପ ନିଜ ସିଟରେ ବସିରହିଥିଲା ।

 

ମାତ୍ର ବିମାନ ଉଡ଼ାଣ ଆରମ୍ଭ କରିବା ପରେ ତାର ପାଗଳାମୀ ଆରମ୍ଭ ହୋଇଯାଇଥିଲା । ସେ ହଠାତ୍ ଫ୍ଲାଇଟରୁ ଓହ୍ଲାଇବାକୁ ଜିଦ ଧରିଲା । ଏଥିପାଇଁ ସେ ବିମାନର କର୍ମଚାରୀମାନଙ୍କ ସହ ଯୁକ୍ତିତର୍କ କଲା । ତା ଦାବି ପୂରଣ ନହେବାରୁ ସେ ନିଜ ପାଖରେ ବସିଥିବା ଯାତ୍ରୀଙ୍କୁ ଗାଳି ଦେବା ସହ ସିଟକୁ କଣା କରିବାରେ ଲାଗିଲା । ଏହା ପରେ ସେ ନିଜ ବ୍ୟାଗରେ ଥିବା ସାମଗ୍ରୀ ବାହାର କରି ଏଣେତେଣେ ପକାଇବା ସହ ବିମାନର ଚଟାଣରେ ଶୋଇପଡ଼ିଲା ଓ କିଛି ସମୟ ପରେ ହଠାତ ପ୍ରାର୍ଥନା କରିବାରେ ଲାଗିଲା । କିଛି ସମୟ ପରେ ସେ ବିମାନର ଝରକା କାଚକୁ ଗୋଇଠାମାରି ଭାଙ୍ଗିବାରେ ଲାଗିଲା ।

ଏହା ପରେ ତାଙ୍କୁ ବିମାନର କର୍ମଚାରୀମାନେ ଧରି ତାକୁ ତା ସିଟରେ ବାନ୍ଧିଦେଇ ଦୁବାଇ ପର୍ଯ୍ୟନ୍ତ ନେଇଥିଲେ । ତାକୁ ଦୁବାଇରେ କିଛି ସମୟ ପାଇଁ ଗିରଫ କରାଯିବା ପରେ ପୁଣି ପାକିସ୍ତାନକୁ ପଠାଇ ଦିଆଯାଇଥିଲା ।

 

ସମ୍ବନ୍ଧିତ ଖବର