ୟୁକ୍ରେନ୍‌ ‘ୱାର୍‌ ଜୋନ୍‌’ରୁ ଉଦ୍ଧାର କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଭାରତୀୟ ଦୂତାବାସକୁ କୃତଜ୍ଞତା ଜଣାଇଲେ ପାକିସ୍ତାନୀ ତରୁଣୀ

କିବ୍: କିବ୍‌ସ୍ଥିତ ଭାରତୀୟ ଦୂତାବାସ ସହାୟତାରେ ୟୁକ୍ରେନ୍‌ର ଗୋଟାଏ ୱାର୍‌ ଜୋନ୍‌ରୁ ସ୍ଥାନାନ୍ତର ହୋଇଥିବା ଆଶ୍‌ମା ଶଫିକ୍‌ ନାମରେ ଜଣେ ତରୁଣୀ ଭାରତୀୟ ଦୂତାବାସ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ ହୋଇଥିବା ଗୋଟାଏ ଭିଡିଓରେ ସେ କହିଛନ୍ତି, ଅତି ଜଟିଳ ପରସ୍ଥିତିରେ ପଡ଼ିଯାଇଥିବା ବେଳେ ଆମକୁ ଉଦ୍ଧାର କରି ଏତେ ବାଟ ଆଣିଥିବା କିବ୍‌ସ୍ଥିତ ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଉଛି। ଆମକୁ ସାହାଯ୍ୟ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରୁଛି। ଭାରତୀୟ ଦୂତାବାସ କାରଣରୁ ନିରାପଦରେ ସ୍ବଦେଶ ବାହୁଡ଼ି ଯିବୁ ବୋଲି ଆଶା।

ପ୍ରାପ୍ତ ସୂଚନା ଅନୁସାରେ, ଭାରତୀୟ ଦୂତାବାସ କର୍ତ୍ତୃପକ୍ଷମାନଙ୍କଦ୍ବାରା ଉଦ୍ଧାର ହୋଇଥିବା ପାକିସ୍ତାନୀ ତରୁଣୀ ଆଶ୍‌ମା ଶଫିକ୍‌ ଏବେ ପଶ୍ଚିମ ୟୁକ୍ରେନ୍‌ ଅଭିମୁଖେ ଯାଉଛନ୍ତି। ସେଠାରୁ ସେ ୟୁକ୍ରେନ୍‌ ବାହାରକୁ ସ୍ଥାନାନ୍ତର ହେବେ। ଏହା ପରେ ସେ ତାଙ୍କ ପରିବାରକୁ ଫେରିବେ।

କୌଣସି ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବା କ୍ଷେତ୍ରରେ ଭାରତ ପାଇଁ ଏଇଟା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଭାରତ ଜଣେ ବାଲାଂଦେଶୀ ଓ ଜଣେ ନେପାଳୀ ନାଗରିକଙ୍କୁ ଉଦ୍ଧାର କରିଥିଲା। ସେମାନେ ‘ଅପରେସନ୍‌ ଗଙ୍ଗା’ ବ୍ୟବସ୍ଥାରେ ଚଳାଚଳ କରୁଥିବା ଭାରତୀୟ ବିମାନରେ ‌ୟୁକ୍ରେନ୍‌ରୁ ଫେରିବେ।

ସୂଚନାଯୋଗ୍ୟ, ‘ଅପରେସନ୍‌ ଗଙ୍ଗା’ରେ ସ୍ବତନ୍ତ୍ର ବିମାନ ଯୋଗେ ଏଯାବତ୍‌ ୟୁକ୍ରେନ୍‌ ସଂଲଗ୍ନ ଦେଶମାନଙ୍କରୁ ପ୍ରାୟ ୧୮ ହଜାର ଭାରତୀୟଙ୍କୁ ସ୍ବଦେଶ ଫେରାଇ ଅଣାଗଲାଣି।

ସମ୍ବନ୍ଧିତ ଖବର