ନୂଆଦିଲ୍ଲୀ : ଭାରତ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଥିବା କର୍ମଚାରୀଙ୍କୁ ସୁନ୍ଦରୀ ଯୁବତୀଙ୍କ ମାଧ୍ୟମରେ ଜାଲରେ ଫସାଇ ଜରୁରୀ ତଥ୍ୟ ହାସଲ କରିବା ଘଟଣା ବଢିଚାଲିଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଏସବୁ ହନିଟ୍ରାପ କରି ସୂଚନାହାସଲ କରୁଥିବା କୁହାଯାଉଛି ।
ଶୁକ୍ରବାରଦିନ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ଏକ ହାଇପ୍ରୋଫାଇଲ ଗୁପ୍ତଚରବୃତ୍ତିର ପର୍ଦ୍ଦାଫାସ ହୋଇଛି । ମନ୍ତ୍ରାଳୟରେ କାମ କରୁଥିବା ଜଣେ ଡ୍ରାଇଭର ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇର ହନିଟ୍ରାପରେ ଫସି ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରେରଣ କରୁଥିବା ଜଣାପଡ଼ିଛି । ଏହା ଜଣାପଡ଼ିବା ପରେ ସଂପୃକ୍ତ ବ୍ୟକ୍ତିକୁ ଦିଲ୍ଲୀ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତାକୁ ଦିଲ୍ଲୀର ଲାଲ ବାହାଦୂର ଶାସ୍ତ୍ରୀ ଭବନରୁ ଦିଲ୍ଲୀ ପୁଲିସ ଗିରଫ କରିଥିଲା ।
ମିଳିଥିବା ସୂଚନା ଅନୁସାରେ ନିଜକୁ ପୁନମ ଶର୍ମା ଓରଫ ପୂଜା କହି ଜଣେ ପାକିସ୍ତାନୀ ଏଜେଣ୍ଟ ଉକ୍ତ ଡ୍ରାଇଭର ସହ ବନ୍ଧୁତା କରିବା ପରେ ତାଠାରୁ ମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ସୂଚନା ଓ କାଗଜପତ୍ର ହାସଲ କରୁଥିଲା । ଏଥିପାଇଁ ଉକ୍ତ ବ୍ୟକ୍ତିକୁ ଅର୍ଥ ମଧ୍ୟ ଦିଆଯାଇଥିବା ଜଣାପଡ଼ିଛି । ଉକ୍ତ ପାକିସ୍ତାନ ଏଜେଣ୍ଟ ଏକ ଜାଲ ଆଇ-କାର୍ଡ ଦେଖାଇ ବିଶ୍ବାସ ଜନ୍ମାଇବା ପରେ ଅଭିଯୁକ୍ତ ସହ ସଂପର୍କ ସ୍ଥାପନ କରିଥିଲା ।
ଚଳିତ ବର୍ଷ ଅଗଷ୍ଟ ମାସରେ ରାଜସ୍ଥାନ ପୁଲିସ ଦିଲ୍ଲୀରୁ ଭାଗଚନ୍ଦ ନାମକ ଜଣେ ୪୬ ବର୍ଷୀୟ ବ୍ୟକ୍ତିକୁ ଗୁପ୍ତଚରବୃତ୍ତି ଅଭିଯୋଗରେ ଗିରଫ କରିଥିଲା । ପାକିସ୍ତାନରେ ଜନ୍ମିତ ଉକ୍ତ ବ୍ୟକ୍ତି ୨୦୧୬ରେ ଭାରତର ନାଗରିକତା ପାଇଥିଲା । କିନ୍ତୁ ସେ ପାକିସ୍ତାନରେ ଥିବା ନିଜର ସଂପର୍କୀୟଙ୍କ ମାଧ୍ୟମରେ ଆଇଏସଆଇକୁ ଗୋପନ ସୂଚନା ପ୍ରେରଣ କରୁଥିଲା ।