ଅଟ୍ଟାରି ସୀମା ପାଖରେ ବିଏସ୍‌ଏଫ୍‌ ଗୁଳି ଚୋଟରେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

ନୂଆଦିଲ୍ଲୀ: ଅଟ୍ଟାରି ପାଖ ଭାରତ-ପାକିସ୍ତାନ ସୀମାରେ ବୁଧବାର ଦିନ ବିଏସ୍‌ଏଫ୍‌ ଯବାନଙ୍କ ଗୁଳି ଚୋଟରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି।

ନିହତ ବ୍ୟକ୍ତିଙ୍କର ନାମ ହେଉଛି ଗୁଲ୍‌ନଓ୍ଵାଜ୍‌। ଅଟ୍ଟାରି ନକଟରେ ରେଳଧାରଣା ବାଟେ ସେ ଭାରତୀୟ ଅଞ୍ଚଳ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ।

ସନ୍ଧ୍ୟାବେଳେ ରେଳବାଇ ଧାରଣା ଦେଇ ଲୋକଟି ଜିରୋ ଲାଇନ୍‌ ଫେନ୍‌ସ୍‌ର ଗେଟ୍‌ ନମ୍ବର ୧୦୩ ଆଡ଼କୁ ଆସୁଥିବା କଥା ଚେକ୍‌ ପୋଷ୍ଟ୍‍ ନିକଟରେ ଡିୟୁଟି କରୁଥିବା ସୁରକ୍ଷା କର୍ମଚାରୀମାନେ ଦେଖିଥିଲେ। ତାଙ୍କୁ ସେମାନେ ଚେତାବନୀ ଦେଇ ଫେରିଯିବାକୁ କହିଲେ। କିନ୍ତୁ, ଗୁଲ୍‌ନଓ୍ଵାଜ୍‌ ଆଦେଶ ମାନିଲେ ନାହିଁ। ତେଣୁ ବିଏସ୍‌ଏଫ୍‌ ଯବାନ ବାଧ୍ୟ ହୋଇ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ଘଟିଲା।

ଘଟଣା ପରେ ପରେ ତୁରନ୍ତ ଫ୍ଲାଗ୍‌ ମିଟିଙ୍ଗ୍‌ ଡକାଯାଇ ପାକିସ୍ତାନୀ ରେଞ୍ଜର୍‌ଙ୍କ ସହ ଅନୁପ୍ରବେଶ ସଂକ୍ରାନ୍ତରେ ଆଲୋଚନା କରାଯାଇ ଶବଟି ତାଙ୍କର ବୋଲି ଦାବି କରିବାକୁ କୁହାଯାଇଥିଲା। କିନ୍ତୁ, ସେମାନେ ତାହା ଅସ୍ୱୀକାର କରିଥିଲେ।

ଶବ ପାଖରୁ ବିଏସ୍‌ଏଫ୍‌ ଯବାନମାନେ ପାଇଥିବା ଗୋଟାଏ ବ୍ୟାଗ୍‌ରେ ଥିଲା ଗୋଟାଏ ସାଲ୍‌ଓ୍ଵାର୍‌ – କାମିଜ ସେଟ୍‌, ୧୬୦ ଟଙ୍କାର ପାକିସ୍ତାନୀ ମୁଦ୍ରା, ଗୋଟିଏ ପର୍ସ, ଗୋଟାଏ ସିମ୍‌ କାର୍ଡ, ଗୋଟାଏ ମେମୋରି କାର୍ଡ ଏବଂ ସିଗାରେଟ୍‌ ପ୍ୟାକେଟ୍‌ ଓ ଲାଇଟର୍‌।

ସମ୍ବନ୍ଧିତ ଖବର