ପ୍ରତିବାଦ ରାଲି ବେଳେ ଇମ୍ରାନ୍‌ ଖାଁଙ୍କ ଟ୍ରକ୍‌ ଚାପାରେ ପାକିସ୍ତାନୀ ସାମ୍ବାଦିକା ମୃତ

ଇସ୍‌ଲାମାବାଦ୍‌: ରାଲି କାର୍ଯ୍ୟକ୍ରମ କଭର୍‌ କରୁଥିବା ଜଣେ ପାକିସ୍ତାନୀ ସାମ୍ବାଦିକା ଇମ୍ରାନ୍‌ ଖାଁଙ୍କ କଣ୍ଟେନର୍‌ ଟ୍ରକ୍‌ ଚାପାରେ ପ୍ରାଣ ହରାଇବାରୁ ରବିବାର ଦିନ ଖାଁ ତାଙ୍କ ରାଲି ବନ୍ଦ ରଖିଥିଲେ।

ସଂଗୃହୀତ ସୂଚନା ଅନୁସାରେ, ମୃତ ସାମ୍ବାଦିକା ହେଉଛନ୍ତି ‘ଚାନେଲ୍‌ ଫାଇଭ୍‌’ର ରିପୋର୍ଟର୍‌ ସଦାଫ୍‌ ନଇମ୍‌। ଇମ୍ରାନ୍‌ଙ୍କ କଣ୍ଟେନର୍‌ ଟ୍ରକ୍‌ରେ ବସି ଯାଉଥିବା ବେଳେ ସାଧୋକ୍‌ ନିକଟରେ ନଇମ୍‌ ତଳକୁ ଖସିପଡ଼ିବାରୁ ତାଙ୍କ ଉପରେ ଉକ୍ତ କଣ୍ଟେନର୍‌ ଟ୍ରକ୍‌ ଚଢ଼ିଯାଇଥିଲା।

ଦୁର୍ଘଟଣା ଘଟିବା ଯୋଗୁଁ ଇମ୍ରାନ୍‌ ଖାଁ ତୁରନ୍ତ ରାଲି ବନ୍ଦ କରାଇଥିଲେ। ସୂଚନାଯୋଗ୍ୟ, ନିର୍ଦ୍ଧାରିତ ସମୟ ଅବ୍ୟବହିତ ପୂର୍ବରୁ ନିର୍ବାଚନ ପାଇଁ ଯୋଜନା କରୁଥିବା ସଂଘୀୟ ସରକାରଙ୍କ ଉପରେ ଚାପ ପକାଇବା ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଇସ୍‌ଲାମାଦ୍‌ ଅଭିମୁଖେ ରାଲି ବା ପଦଯାତ୍ରାରେ ଯାଉଥିଲେ। ଲାହୋର୍‌ ନଗରୀର ପୂର୍ବାଞ୍ଚଳରୁ ବାହାରି ଥିବା ତାଙ୍କ ରାଲି ଶୁକ୍ରବାର ଦିନ ଇସ୍‌ଲାମାବାଦରେ ପହଞ୍ଚିବ ବ‌ୋଲି ଆଶା କରାଯାଉଛି।

Image Courtesy of India Today

ଟୁଇଟ୍‌ କରି ଖାଁ ଲେଖିଛନ୍ତି: ଆଜି ଆମର ପଦଯାତ୍ରା ବେଳେ ଭୟାବହ ଦୁର୍ଘଟଣାରେ ‘ଚାନେଲ୍‌ ଫାଇଭ୍‌’ର ରିପୋର୍ଟର୍‌ ସଦାଫ୍‌ ନଇମ୍‌ଙ୍କ ଯୋଗୁଁ ମର୍ମାହତ ଓ ଖୁବ୍‌ ଦୁଖିତ। ଦୁଃଖ ପ୍ରକାଶ ଅସମର୍ଥ ବୋଧ କରୁଛି। ଏ ଭଳି ଅଭାବନୀୟ ସମୟରେ ତାଙ୍କ ପରିବାର ପ୍ରତି ମୋର ସମବେଦନା। ଆଜି ପାଇଁ ଆମ ରାଲି ବାତିଲ୍‌ କରିଛୁ।

ସାମ୍ବାଦିକାଙ୍କ ମୃତ୍ୟୁ ନିମନ୍ତେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହ୍‌ବାଜ୍‌ ଶରିଫ୍‌ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।

ତାଙ୍କ ପରିବାରବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବେ ବୋଲି ପଞ୍ଜାବ ପ୍ରଦେଶ ସରକାର ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର