ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଚାଲିଥିବାବେଳେ ପାକିସ୍ତାନୀ ରାଜନେତାମାନେ ଭାରତୀୟ ନେତା ରାହୁଲ ଗାନ୍ଧୀ ଏବଂ ଅରବିନ୍ଦ‌ କେଜ୍ରିୱାଲଙ୍କୁ କରିଥିବାରୁ ଏନେଇ ପ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକଟ କରିଛନ୍ତି। ମୋଦୀ କହିଛନ୍ତି, ଭାରତୀୟ ଭୋଟରମାନେ ପରିପକ୍ବ ଏବଂ ସ୍ଥିର ଅଟନ୍ତି। ସେମାନଙ୍କୁ ବାହ୍ୟ ପ୍ରଭାବ ଦ୍ବାରା ପ୍ରଭାବିତ କରାଯାଇପାରିବ ନାହିଁ। ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଦୃଢ଼ ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ନିର୍ବାଚନ ପରମ୍ପରା ଉପରେ ଗୁରୁତ୍ବାରୋପ କରିଛନ୍ତି। ମୋଦୀ କହିଛନ୍ତି, ଏହା ହେଉଛି ଭାରତର ନିର୍ବାଚନ। ଭାରତ ଏକ ପରିପକ୍ବ ଗଣତନ୍ତ୍ର ଯାହା ସମୃଦ୍ଧ ତଥା ପ୍ରତିଷ୍ଠିତ ନିର୍ବାଚନ ନୀତି ଏବଂ ପରମ୍ପରାକୁ ନେଇ ଗର୍ବ କରେ। ଭାରତର ଭୋଟରମାନେ ମଧ୍ୟ କୌଣସି ବାହ୍ୟ ପ୍ରଭାବ ଦ୍ବାରା ‌ପ୍ରଭାବିତ ହେବେନାହିଁ। ତେବେ ମୁଁ ବୁଝିପାରୁନାହିଁ କାହିଁକି କେତେକ ବିରୋଧୀ ଦଳ ନେତାଙ୍କୁ ପାକ୍‌ ନେତା ଏତେ ସମର୍ଥନ କରୁଛନ୍ତି। ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ପାକିସ୍ତାନରୁ ସମର୍ଥନ ସ୍ବର ଆସିଥାଏ ବୋଲି ମୋଦୀ କହିଛନ୍ତି। ତେବେ ଏଭଳି ପ୍ରଶଂସା ଚିନ୍ତାଜନକ ଏବଂ ଏହାର ତଦନ୍ତ ହେବା ଉଚିତ। ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଭାବୁଛି ଯେ ଯେଉଁ ପଦବିରେ ଅଛି ଏହି ପ୍ରସଙ୍ଗରେ ମୋର କିଛି ଟିପ୍ପଣୀ ଦେବା ଉଚିତ ନୁହେଁ।

Advertisment

ଉଲ୍ଳେଖଯୋଗ୍ୟ, ପାକିସ୍ତାନୀ ରାଜନେତା ଫୱାଦ ‌ଚୌଧୁରୀ ନିକଟରେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ। ରାହୁଲ ମୋଦୀ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଅତି କଡ଼ା ସମାଲୋଚନା କରୁଥିବାରୁ ଫୱାଦ ରାହୁଲଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଏହାପରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଫୱାଦ କେଜ୍ରିୱାଲଙ୍କୁ ସମର୍ଥନ କରି ଭାରତରେ ଶାନ୍ତି ଏବଂ ସଦ୍‌ଭାବନା କାମନା କରିଥିଲେ। ତେବେ ଭାରତୀୟ ନେତାଙ୍କ ପ୍ରତି ପାକିସ୍ତାନୀ ରାଜନେତାଙ୍କ ଏଭଳି ପ୍ରଶଂସା ପାଇଁ ବିଜେପି କଡ଼ା ପ୍ରତିକ୍ରିୟା ରଖିଥିଲା।