ଇସଲାମାବାଦ : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ପୂର୍ବତନ ପ୍ରଧାନମନ୍ତ୍ରୀ ଅନଵରୁଲ୍ ହକ୍ ବିଧାନସଭାରେ ଖୋଲାଖୋଲି ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ ଭାରତ ଉପରେ ‘ଲାଲକିଲ୍ଲାରୁ କାଶ୍ମୀରର ଜଙ୍ଗଲ ପର୍ଯ୍ୟନ୍ତ’ ଆକ୍ରମଣ କରିଛନ୍ତି ଏବଂ ଏହାକୁ ସେମାନେ ଜାରି ରଖିବେ। ଅବିଶ୍ୱାସ ପ୍ରସ୍ତାବ ଆଲୋଚନା ସମୟରେ ଦିଆଯାଇଥିବା ଏହି ବୟାନ ଭାରତ-ପାକିସ୍ତାନ ତିକ୍ତତାକୁ ଅଧିକ ଜଟିଳ କରିଛି। ସେ କହିଛନ୍ତି, ‘ଯଦି ତୁମେ ବଲୁଚିସ୍ତାନକୁ ରକ୍ତରେ ଲାଲ କରିବ, ତେବେ ଆମେ ଲାଲକିଲ୍ଲାରୁ କାଶ୍ମୀର ଜଙ୍ଗଲ ପର୍ଯ୍ୟନ୍ତ ଆକ୍ରମଣ ଜାରି ରଖିବୁ। ଆଲ୍ଲାଙ୍କ ଦୟାରେ ଆମର ଜିହାଦୀମାନେ ଏଭଳି କରି ଦେଖାଇଛନ୍ତି, ଏବଂ ଏ ପର୍ଯ୍ୟନ୍ତ ଭାରତ ଶବ ଗଣନା କରିପାରିନାହିଁ।’ ହକ୍ଙ୍କ ଏଭଳି ଉତ୍ତେଜକ ବୟାନ ଓ ସ୍ବୀକାରୋକ୍ତିକୁ ଭାରତ ଅନ୍ତର୍ଜାତୀୟ ମଞ୍ଚରେ ଏକ ବଳିଷ୍ଠ ପ୍ରମାଣ ଭାବେ ବ୍ୟବହାର କରିବ ବୋଲି ଜଣାପଡ଼ିଛି।
ସୋମବାର ପିଓକେ ବିଧାନସଭାରେ ଅବିଶ୍ୱାସ ପ୍ରସ୍ତାବ ଆଲୋଚନା ସମୟରେ ହକ୍ ଭାରତ ବିରୋଧରେ ବଲୁଚିସ୍ତାନରେ ଅସ୍ଥିରତା ସୃଷ୍ଟି ଅଭିଯୋଗ ଆଣି ଏଭଳି ଧମକପୂର୍ଣ୍ଣ ଭାଷଣ ଦେଇଥିଲେ। ଚଳିତ ବର୍ଷ ଏପ୍ରିଲରେ ମଧ୍ୟ ସେ ସମାନ ଧମକ ଦେଇଥିଲେ। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ସହ ପାକିସ୍ତାନୀ ‘ଶାହିନ୍’ (ଆତଙ୍କବାଦୀ)ଙ୍କ କାର୍ଯ୍ୟକୁ ପ୍ରଶଂସା ଭାରତ-ପାକ୍ ସଂପର୍କର ତିକ୍ତତାକୁ ଅତି ଭୟାନକ ସ୍ତରକୁ ନେବ ବୋଲି ଅନେକ ମତ ଦେଇଛନ୍ତି। ତେବେ ହକ୍ଙ୍କ ଏଭଳି ବୟାନ ତାଙ୍କ ରାଜନୈତିକ ପତନ ମଧ୍ୟରେ ଆସିଛି।
ହକ୍ଙ୍କ ବୟାନରେ ଦିଲ୍ଲୀର ୧୦ ନଭେମ୍ବର କାର୍ ବୋମା ବିସ୍ଫୋରଣର ସ୍ପଷ୍ଟ ଉଲ୍ଲେଖ ରହିଛି, ଯେଉଁଥିରେ ଅତି କମ୍ରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏନ୍ଆଇଏ ଜୈସ ଆତଙ୍କୀ ଡା. ଉମର ଉନ୍ ନବିକୁ ମୁଖ୍ୟ ଷଡ୍ଯନ୍ତ୍ରକାରୀ ଘୋଷଣା କରିଥିବା ବେଳେ ଫରିଦାବାଦରେ ଏହାର ମଡ୍ୟୁଲ୍ ଧ୍ୱଂସ କରିଛି। ହକ୍ଙ୍କ କାଶ୍ମୀର ଜଙ୍ଗଲର ଇଙ୍ଗିତ ୨୨ ଏପ୍ରିଲର ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ଦର୍ଶାଉଛି, ଯେଉଁଥିରେ ପାକିସ୍ତାନୀ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଧର୍ମ ପଚାରି ଗୁଳିକରି ୨୬ ଜଣଙ୍କୁ ହତ୍ୟା କରିଥିଲେ। ଏହାର ପ୍ରତିଶୋଧରେ ଭାରତ ‘ଅପରେସନ୍ ସିନ୍ଦୂର’ ଚଳାଇ ପାକିସ୍ତାନ ଓ ପିଓକେରେ ଆତଙ୍କବାଦୀ ଆଡ଼ା ଧ୍ୱଂସ କରିଥିଲା।
ଏପ୍ରିଲ ୨୦୨୩ରୁ ପିଓକେର ୧୫ତମ ପ୍ରଧାନମନ୍ତ୍ରୀ ଥିବା ଅନଵରୁଲ୍ ହକ୍ ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ପ୍ରତିଷ୍ଠାତା ସଦସ୍ୟ ଥିଲେ ଏବଂ ୨୦୨୩ରେ ଦଳରୁ ବହିଷ୍କୃତ ହୋଇଥିଲେ।
Pakistani attacked: ପାକିସ୍ତାନୀ ନେତାଙ୍କ ଚକିତକାରୀ ବୟାନ ଆମେ ହିଁ କାଶ୍ମୀରରୁ ଲାଲକିଲ୍ଲା ପର୍ଯ୍ୟନ୍ତ ଆକ୍ରମଣ କରିଛୁ
ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ପୂର୍ବତନ ପ୍ରଧାନମନ୍ତ୍ରୀ ଅନଵରୁଲ୍ ହକ୍ ବିଧାନସଭାରେ ଖୋଲାଖୋଲି ସ୍ୱୀକାର କରିଛନ୍ତି ଯେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ....
/sambad/media/media_files/2025/11/20/untitled-2-2025-11-20-05-37-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)