ନୂଆଦିଲ୍ଲୀ: ଭାରତରେ ପ୍ରବେଶ କରି କିଛି ପାକ୍ ସମର୍ଥିତ ଆତଙ୍କବାଦୀ ସାଧାରଣ ନାଗରିକଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୬ଜଣକ ଜୀବନ ଯିବା ପରେ ପ୍ରତିଶୋଧ ନେବା ପାଇଁ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା। ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରି ପ୍ରାୟ ୧୦୦ଆତଙ୍କବାଦୀଙ୍କୁ ନିପାତ କରିଥିଲେ ଭାରତୀୟ ସେନା। ଭାରତର ଜବାବରେ ଥରହର ପାକିସ୍ତାନ ଏବେ ଶାନ୍ତି ଭିକ୍ଷା କରୁଛି। ଏମଧ୍ୟରେ ଭାରତକୁ ସମର୍ଥନ କରିଛନ୍ତି ଜଣେ ପାକିସ୍ତାନୀ ବ୍ୟକ୍ତି। ପାକିସ୍ତାନର ଫରେକ୍ସ ବ୍ୟବସାୟୀ ଅଭୟ ଭାରତୀୟ ସେନାର ପ୍ରଶଂସା କରିବା ସହ ପାକିସ୍ତାନର ଭୁଲ ଗଣାଇଛନ୍ତି।
ପାକିସ୍ତାନୀ ହିନ୍ଦୁ ଅଭୟ କହିଛନ୍ତି ଯେ, "ମୁଁ ପାକିସ୍ତାନୀ ଏବଂ ମୁଁ ସିଧାସଳଖ କହିବି ଯେ, ଭାରତକୁ ପ୍ରତିଆକ୍ରମଣ କରିବାର ସମ୍ପୂର୍ଣ୍ଣ ଅଧିକାର ଥିଲା। ପ୍ରଥମେ, ପାକିସ୍ତାନ ସେମାନଙ୍କ ଲୋକଙ୍କୁ ଆକ୍ରମଣ କରିଥିଲା। ସେମାନେ ପ୍ରତି ଆକ୍ରମଣ କରିବାରୁ ଏବେ ପାକିସ୍ତାନ ଶାନ୍ତି ବିଷୟରେ କହୁଛି। ହେଲେ ଯେତେବେଳେ ଛଟପଟ ହୋଇ ୨୬ ନିର୍ଦ୍ଦୋଷଙ୍କ ଜୀବନ ଚାଲିଗଲା ସେତେବେଳେ ଏମାନେ କେଉଁଠି ଥିଲେ? କେହି ଯୁଦ୍ଧ ପସନ୍ଦ କରନ୍ତି ନାହିଁ। ନା ଭାରତ ନା ପାକିସ୍ତାନ। ହେଲେ ପାକିସ୍ତାନ ଆତଙ୍କବାଦକୁ ପ୍ରଶୟ ଦେଉଛି। ତେଣୁ ଏହାର ପରିଣାମ ଭୋଗିବାକୁ ମଧ୍ୟ ସେ ପ୍ରସ୍ତୁତ ରହିବା ଜରୁରୀ। ଭାରତ କେବେ ଏହା ଆରମ୍ଭ କରିନଥିଲା। ସେମାନେ କେବଳ ପ୍ରତିକ୍ରିୟା ଦେଇଛନ୍ତି। ମୋ ହିସାବରେ ଏହା ଯୁଦ୍ଧ ନୁହେଁ। ଏହା କେବଳ ନ୍ୟାୟ। ଏଭଳି କରି ସେମାନେ ନିଜ ଲୋକଙ୍କୁ ନ୍ୟାୟ ଦେଇଛନ୍ତି। ପାକିସ୍ତାନୀ ହିନ୍ଦୁ ଭାବରେ ଏହା ମୋର ମତ।"