ତିନିଜଣ ପର୍ଣ୍ଣଷ୍ଟାରଙ୍କୁ ଭାରତୀୟ ଆନ୍ଦୋଳନକାରୀ ଭାବେ ଟ୍ଵିଟ୍‌ କରି ଫସିଲେ ପାକ ନେତା

ନୂଆଦିଲ୍ଲୀ : ପାକିସ୍ତାନୀ ସିନେଟ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ରେହମାନ୍‌ ମଲିକ୍‌ ପୁଣିଥରେ ଭାରତୀୟମାନଙ୍କ ଫାଶରେ ପଶିଯାଇଛନ୍ତି । ଅକ୍ଷୟନାମକ ଜଣେ ଭାରତୀୟ ଟ୍ଵିଟରରେ ତିନିଜଣ ଅନ୍ତର୍ଜାତୀୟ ପର୍ଣ୍ଣଷ୍ଟାରଙ୍କ ଫଟୋ ଦେଇ ଲେଖିଥିଲେ ଯେ ଭାରତୀୟ ଆଞ୍ଚଳିକ ଚଳଚ୍ଚିତ୍ର ଜଗତର କେତେକ ପ୍ରଭାବଶାଳୀ ଅଭିନେତ୍ରୀ ନାଗରିକତା (ସଂଶୋଧନ) ଆଇନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି । ନିଜର ବିରୋଧ ଦର୍ଶାଇବାକୁ ସେମାନେ ସାଂକେତିକଭାବେ ହିଜାବ ପିନ୍ଧିଛନ୍ତି । ଏହାକୁ ରେହମାନ ମଲିକ ରିଟ୍ଵିଟ୍‌ କରି ଲେଖିଥିଲେ ଯେ ଇଶ୍ୱର ସେମାନଙ୍କୁ ଆଶିର୍ବାଦ କରନ୍ତୁ । ସେ ଏହି ପର୍ଣ୍ଣଷ୍ଟାରମାନଙ୍କୁ ସତସତିକା ଭାରତୀୟ ଅବିନେତ୍ରୀ ଭାବିଦେଇଥିଲେ । ଏହା ଜଣାପଡ଼ିବା ପରେ ସୋସିଆଲ ମିଡ଼ିଆରେ ତାଙ୍କୁ ଜବରଦସ୍ତ ଟ୍ରୋଲ କରାଯାଉଛି । ତାଙ୍କ ବୋକାମୀକୁ ସମସ୍ତେ ହସରେ ଉଡ଼ାଉଛନ୍ତି । ଜଣେ ବ୍ୟକ୍ତି ଟ୍ଵିଟରରେ ଲେଖିଛନ୍ତି, ଚାଚା ଫସିଗଲେ । ପରେ ନିଜର ଭୁଲ ବୁଝିପାରି ମଲିକ ନିଜର ଟ୍ଵିଟକୁ ହଟାଇ ଦେଇଛନ୍ତି ।

ଗତ ଅଗଷ୍ଟ ମାସରେ ଭାରତ ସରକାର କଶ୍ମୀରରୁ ଧାରା ୩୭୦ ଉଠାଇଦେବା ପରେ ସେ ଏକ ଟ୍ଵିଟ କରି ସମଦଶା ଭୋଗିଥିଲେ । କଶ୍ମୀରରେ ଭାରତୀୟ ସେନାର ବର୍ବରତା ସଂପର୍କରେ ଲେଖି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାତିସଂଘ (ୟୁଏନଓ)କୁ ଟ୍ୟାଗ କରିଥିଲେ । କିନ୍ତୁ ସେ ୟୁଏନଓ ବଦଳରେ ୟୁଏନଓ ଗେମକୁ ଟ୍ୟାଗ୍‌ କରିଦେଇଥିଲେ । ଏହାକୁ ନେଇ ଟ୍ଵିଟରରେ ସେ ଟ୍ରୋଲ ହୋଇଥିଲେ ।

ସମ୍ବନ୍ଧିତ ଖବର