ଇସଲାମାବାଦ: ପାକିସ୍ତାନର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଗଣାଯାଉଥିବା ଟେଲିଭିଜନ ଉପସ୍ଥାପକ ତଥା ଇମ୍ରାନ୍ ଖାନଙ୍କ ରାଜନୈତିକ ଦଳ ପାକିସ୍ତାନ ତେହରିକ୍-ଏ-ଇନ୍ସାଫ୍ (ପିଟିଆଇର)ର ସାଂସଦ ଆମିର୍ ଲିୟାକତଙ୍କ ଆଜି ମୃତ୍ୟୁ ଘଟିଛି। ମାତ୍ର ୪୯ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଖବର ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ତାଙ୍କ ତୃତୀୟ ପତ୍ନୀ ସୟଦା ଦାନିଆ ଶାହାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।
May Allah forgive him but this is really Shocking. #amirliaquat
— Syeda Dania Shah (@SyedaDaniaShah) June 9, 2022
ଆମୀର ଲିୟାକତଙ୍କ ତୃତୀୟ ପତ୍ନୀ ସୟଦା ଦାନିଆ ଶାହା ତାଙ୍କଠାରୁ ୩୧ ବର୍ଷ ସାନ ଥିଲେ । ଚଳିତ ବର୍ଷ ଦୁହିଁଙ୍କର ବିବାହ ହୋଇଥିବା ବେଳେ ନିକଟରେ ଦାନିଆ ଆମୀର ଲିୟାକତଙ୍କ ଉପରେ ଡ୍ରଗ୍ସ ନେବା ଓ ମାଡ଼ ମାରିବାର ଅଭିଯୋଗ କରିଥିଲେ। ଏହା ସହ ଛାଡପତ୍ର ନେବାକୁ ମଧ୍ୟ ଦାବି କରିଥିଲେ । ଏବେ ଆମୀରଙ୍କ ମୃତ୍ୟୁ ହେବା ପରେ ଦାନିଆ ଟ୍ୱିଟ୍ କରି କହିଛନ୍ତି ଯେ, ଆଲ୍ହା ତାଙ୍କୁ କ୍ଷମା କରନ୍ତୁ କିନ୍ତୁ ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଖବର।
ରିପୋର୍ଟ ଅନୁଯାୟୀ, ଆମୀର ଚଳିତ ବର୍ଷ ସୟଦାଙ୍କୁ ବିବାହ କରିଥିଲେ। କିନ୍ତୁ କିଛି ମାସ ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ସୟଦା ଦାନିଆ ଆମୀର ଲିୟାକତଙ୍କ ବିରୋଧରେ କୋର୍ଟରେ ଏକ ଆବେଦନ କରି କହିଥିଲେ ଯେ, ଆମୀର ମୋତେ ଏକ ଛୋଟ କୋଠରୀରେ ରଖନ୍ତି, ମଦ୍ୟପାନ କରି ମୋତେ ମାଡ଼ମାରନ୍ତି ଓ ମୋ ପରିବାର ସଦସ୍ୟଙ୍କୁ ଧମକ ଦେଉଛନ୍ତି । ଏହି ଆବେଦନ ସହ ସେ ତାଙ୍କଠାରୁ ୧୫ କୋଟି ଟଙ୍କା ଓ ଅଳଙ୍କାର ମାଗିଥିଲେ ।
ଉଲ୍ଲେଖଯୋଗ୍ୟ, ଆମୀର ଲିୟାକତଙ୍କ ଜଣେ କର୍ମଚାରୀ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ। ବୁଧବାର ରାତିରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ହେଲେ ସେ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ। ଗୁରୁବାର ସକାଳେ ସେ ଜୋରରେ ପାଟି କରିବାରୁ ତାଙ୍କ ଗୃହ ସହାୟକ କବାଟ ଭାଙ୍ଗି ତାଙ୍କ ରୁମକୁ ଯାଇଥିଲେ। ଭିତରକୁ ଯିବା ପରେ ସେ ଅଚେତ ଥିବା ଦେଖି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିିଥିଲେ। ଶବ ବ୍ୟବଚ୍ଛେଦ ପରେ ଆମୀର ଲିୟାକତଙ୍କ ମୃତ୍ୟୁର କାରଣ ଜଣାପଡିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ହୃୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।