ନୂଆଦିଲ୍ଲୀ : ପାକିସ୍ତାନର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ଶୁକ୍ରବାର ଡଲାର ତୁଳନାରେ ଟଙ୍କା ୧୫୮ରେ କାରବାର ହେଉଥିବା ଦେଖାଯାଇଥିଲା । ୧୧ଦିନ ମଧ୍ୟରେ ପାକିସ୍ତାନରେ ବିକ୍ରି ହେଉଥିବା ଜିନିଷର ଦାମ୍ ହୁ ହୁ ହୋଇ ବଢ଼ୁଥିବାରୁ ଗ୍ରାହକମାନଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି । ଦେଶରେ ବିଜୁଳି ଓ ତେଲ ଦର ବୃଦ୍ଧି ହେବା ସହ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଦର ମଧ୍ୟ ଆକାଶଛୁଆଁ ହାଇଛି। ପାକିସ୍ତାନରେ କ୍ଷୀର ଲିଟର ପିଛା ୨୦୦ଟଙ୍କାରେ ହେଲାଣି । କେବଳ କ୍ଷୀର ନୁହେଁ, ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବାର ଦାମ ମଧ୍ୟ ବଢ଼ି ଯାଇଥିବା ଦେଖିବାକୁ ମିଳିଛି ।
ପାକିସ୍ତାନରେ ସେଓ କିଲୋ ୪୦୦ଟଙ୍କା ହୋଇଥିବା ବେଳେ କମଳା କିଲୋ ୩୬୦ଟଙ୍କା, କଦଳୀ ୧୫୦ଟଙ୍କା ଏବଂ ମଟନ କିଲୋ ୧୧୦୦ଟଙ୍କାରେ ପହଞ୍ଚିଛି । ଦାମ୍ ବଢ଼ୁଥିବା ଦେଖି ଲୋକେ ଖାଇବାକୁ ଡ଼ରିଲେଣି । ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଗ୍ୟାସ୍ର ଦାମ୍ ୮୫.୩୧ ବଢ଼ିଥିବା ବେଳେ ପେଟ୍ରୋଲ ୨୩.୬୩ ପ୍ରତିଶତ ଏବଂ ଡିଜେଲ ୨୩.୮୬ ପ୍ରତିଶତ ବଢ଼ିଥିବା ଦେଖା ଯାଇଛି । ୧୦ଗ୍ରାମ ସୁନାର ମୂଲ୍ୟ ରହିଛି ୬୫,୦୭୨ଟଙ୍କା ।
/sambad/media/post_attachments/wp-content/uploads/2019/06/download-39.jpg)
ଡନ୍ ଖବରକାଗଜ ରିପୋର୍ଟ ମୁତାବକ, ପାକିସ୍ତାନ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ଚଳିତବର୍ଷ ଆରମ୍ଭରୁ ଲଗାତାର କମିବାରେ ଲାଗିଛି । ଗତ ୧୧ଦିନରୁ ଲଗାତାର ଏଥିରେ ହ୍ରାସ ଦେଖିବାକୁ ମିଳୁଛି । ଯଦି ପାକ୍ରେ ଏଭଳି ସ୍ଥିତି ଲାଗିରହିଲା ତେବେ ଧନୀଶ୍ରେଣୀର ଲୋକ ମଧ୍ୟ କିଛି କିଣିବା ପାଇଁ ସମର୍ଥ ହୋଇପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି ।