କୁଲଭୂଷଣଙ୍କୁ ସାକ୍ଷାତ ପାଇଁ ଆସିଥିବା ତାଙ୍କ ପତ୍ନୀଙ୍କ ଜୋତାରେ ଧାତବ ଖଣ୍ଡର ସନ୍ଧାନ ମିଳିବା ପରେ ତାକୁ ଜବତ କରା ଯାଇଥିଲା: ପାକିସ୍ତାନ

ଇସ୍‌ଲାମାବାଦ: ପାକିସ୍ତାନରେ ବନ୍ଦୀ ଥିବା କୁଲଭୂଷଣଙ୍କୁ ସହ ସାକ୍ଷାତ ପାଇଁ ତାଙ୍କ ମା’ ଓ ପତ୍ନୀ ଗତ ସୋମବାର ପାକିସ୍ତାନ ଯାଇଥିବା ବେଳେ ସେଠାର କର୍ତ୍ତୃପକ୍ଷ ସେମାନଙ୍କ ସହ ଯେଉଁ ପ୍ରକାରର ଆଚରଣ ପ୍ରଦର୍ଶନ କଲେ ତାକୁ ବିରୋଧ କରି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏଥିରୁ ନିଜକୁ ମୁକ୍ତ କରିବାକୁ ଯାଇ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ଜଣେ ପ୍ରବକ୍ତା କହିଛନ୍ତି ଯେ କୁଲଭୂଷଣଙ୍କୁ ସାକ୍ଷାତ ପାଇଁ ଆସିଥିବା ତାଙ୍କ ପତ୍ନୀ ଚେତନ୍‌କୁଲ୍‌ଙ୍କ ଜୋତାରେ ଏକ ଧାତବ ଖଣ୍ଡର ସନ୍ଧାନ ମିଳିବା ପରେ ତାଙ୍କ ଜୋତାକୁ ଜବତ କରା ଯାଇଥିଲା, ଏବଂ ଜବତ ଜୋତାକୁ ଏଯାବତ୍‌ ତାଙ୍କୁ ଫେରାଯାଇ ନାହିଁ ବୋଲି ସ୍ୱୀକାର କରିଛି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ। ତେବେ, ପାକିସ୍ତାନ ଜବତ କରିଥିବା ଜୋତାରେ ମିଳିଥିବା ଧାତବ ଖଣ୍ଡଟି ପ୍ରକୃତରେ କ’ଣ ସେବାବଦରେ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରିଛି ପାକିସ୍ତାନ।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ପୂର୍ବରୁ ଘୋଷଣା କରି କହିଥିଲା ଯେ ସଂପୂର୍ଣ୍ଣ ମାନବିକତା ଦୃଷ୍ଟିକୋଣରୁ ଓ ଧର୍ମୀୟ ପରମ୍ପରା ଆଧାରରେ କୁଳଭୂଷଣଙ୍କୁ ଭେଟିବା ପାଇଁ ତାଙ୍କ ମା’ ଓ ପତ୍ନୀଙ୍କୁ ପାକିସ୍ତାନ ସରକାର ଅନୁମତି ପ୍ରଦାନ କରିଛନ୍ତି। ତେବେ, ପାକିସ୍ତାନରେ ପହଞ୍ଚିବା ପରେ ସୁରକ୍ଷା ଆଳରେ କୁଲଭୂଷଣଙ୍କ ସହ ସାକ୍ଷାତ ପୂର୍ବରୁ ସେମାନଙ୍କ ଠାରୁ ବଳପୂର୍ବକ ଭାବେ ପାକିସ୍ତାନୀ ଅଧିକାରୀମାନେ ଯେପରି ଭାବେ ମଙ୍ଗଳସୂତ୍ର ଠାରୁ ଆରମ୍ଭ କରି ଚୁଡ଼ି, ବିନ୍ଦି ଓ ଜୋତା ପର୍ଯ୍ୟନ୍ତ ସବୁକିଛି ଛଡ଼ାଇ ନେଇଥିଲେ ଓ ସେମାନଙ୍କୁ ଲୁଗା ବଦଳାଇ ଅନ୍ୟ ଲୁଗା ପିନ୍ଧିବା ପାଇଁ ବାଧ୍ୟ କରିଥିଲେ ତାହା ସମସ୍ତ ପ୍ରକାରର ମାନବିକତାକୁ ଉଲ୍ଲଂଘନ କରୁଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଅଭିଯୋଗ କରିଥିଲା। ଏହାପରେ ପାକିସ୍ତାନ ପକ୍ଷରୁ ଏପ୍ରକାରର ସଫେଇ ଜାରି କରାଯାଇଛି।

NDTV.com

ଅନ୍ୟପକ୍ଷରେ, ସଂପୂର୍ଣ୍ଣ ମାନବିକତା ଦୃଷ୍ଟିକୋଣରୁ ପାକିସ୍ତାନରେ ବନ୍ଦୀ ଥିବା କୁଲଭୂଷଣଙ୍କୁ ତାଙ୍କ ମା’ ଓ ପତ୍ନୀଙ୍କ ସହ ସାକ୍ଷାତ ପାଇଁ ଅନୁମତି ଦେଉଛି ବୋଲି ଘୋଷଣା କରିଥିବା ପାକିସ୍ତାନ ସାକ୍ଷାତ କାଳରେ ଯେଉଁ ପ୍ରକାରର ଅମାନବୀୟ ଆଚରଣ ପ୍ରଦର୍ଶନ କଲା ତାକୁ ନେଇ ଏବେ ବିଶ୍ୱ ବ୍ୟାପି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର