ନ‌ୋଇଡ଼ା: ଆଜି ସଂଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର୍‌। ଏହାର ସଫଳ ଅବତରଣ ପରେ ଭାରତ ଏକ ନୂଆ ଇତିହାସ ରଚନା କରିବ। ଏଥିପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନାରେ ବସିଛନ୍ତି ନିଜ ପ୍ରେମିକ ସଚିନଙ୍କ ନିକଟକୁ ପାକିସ୍ତାନରୁ ଭାରତକୁ ଧାଇଁ ଆସିଥିବା ସୀମା ହାଇଦର। ପୂରା ଦେଶ ‘ଚନ୍ଦ୍ରଯାନ-୩’କୁ ନେଇ ବେଶ୍‌ ଉତ୍ସାହିତ। ଏହାର ସଫଳତା କାମନା କରି ମନ୍ଦିରରେ ପ୍ରାର୍ଥନା, ମସ୍‌ଜିଦ୍‌ରେ ଦୁଆ ଚ‌ାଲିଛି।

Advertisment

ସୋସିଆଲ୍‌ ମିଡିଆରେ ବି ‘ଚନ୍ଦ୍ରଯାନ’ ଟ୍ରେଣ୍ଡ୍‌ କରୁଛି। ଚାରିଆଡ଼େ ଲୋକ ଭିନ୍ନ ଶୈଳୀରେ ନିଜର ଖୁସି ବ୍ୟକ୍ତ କରି ଚାଲିଛନ୍ତି। ଅଧିକାଂଶ ଲୋକ ‘ଚନ୍ଦ୍ରଯାନ’ର ସଫଳତା କାମନା କରି ପ୍ରାର୍ଥନା କରିବାରେ ଲାଗିଛନ୍ତି।

ଏହି ଅବସରରେ ସୀମା ବ୍ରତ ରଖିଛନ୍ତି। ଚନ୍ଦ୍ରପୃଷ୍ଠରେ ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର୍‌ ନପହଞ୍ଚିବା ପର୍ଯ୍ୟନ୍ତ ଅନ୍ନ, ଜଳ ସ୍ପର୍ଶ କରିବେ ନାହିଁ। ସେ ଏକ ଭିଡିଓ ସେୟାର କରି ଏହି ସୂଚନା ଦେଇଛନ୍ତି। ସୀମା କହିଛନ୍ତି, ‘‘ମ‌ୋର ଦେହ ଭଲ ନାହିଁ। ତଥାପି ମଧ୍ୟ ମୁଁ ‘ଚନ୍ଦ୍ରଯାନ-୩’ର ସଫଳତା କାମନା କରି ବ୍ରତ ରଖିଛି। ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର୍‌ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବା ପରେ ଯାଇ ମୁଁ ଖାଦ୍ୟ, ପାନୀୟ ଗ୍ରହଣ କରିବି।’’

ଭିଡିଓରେ ‌ସୀମା ଆହୁରି ବି କହିଛନ୍ତି ଯେ ‘‘ମୁଁ ପ୍ରାର୍ଥନା କରୁଛି ଆମ ଦେଶର ‘ଚନ୍ଦ୍ରଯାନ-୩’ ସଫଳତାର ସହ ଆଜି ସଂଧ୍ୟାରେ ଚନ୍ଦ୍ରରେ ଅବତରଣ କରୁ। ଏହା ଦ୍ବାରା ମୋ ଭାରତର ନାଁ ରହିବ। ମୁଁ ରାଧାକୃଷ୍ଣଙ୍କୁ ଖୁବ୍‌ ବିଶ୍ବାସ କରେ। ସମସ୍ତ ଦେବୀଦେବତାଙ୍କୁ ମୁଁ ‘ଚନ୍ଦ୍ରଯାନ-୩’ର ସଫଳତା ପାଇଁ ପ୍ରାର୍ଥନା କରୁଛି।’’