ଲକ୍ଷ୍ନୌ, ୪/୨: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଗୁପ୍ତଚରଗିରି କରିବା ଅଭିଯୋଗରେ ଉତ୍ତର ପ୍ରଦେଶ ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍) ମସ୍କୋ ସ୍ଥିତ ଭାରତୀୟ ଦୂତାବାସର ଜଣେ କର୍ମଚାରୀକୁ ଗିରଫ କରିଛି। ତାକୁ ୟୁପିର ମିରଟରୁ ଗିରଫ କରାଯାଇଥିବା ବେଳେ ସେ ପାକ୍‌ ଗୁଇନ୍ଦା ସଂସ୍ଥାକୁ ଭାରତୀୟ ସେନାର ବିଭିନ୍ନ ଗୁପ୍ତ ସୂଚନା ଏବଂ ରଣନୀତିକ ନିଷ୍ପତ୍ତି ନେଇ ତଥ୍ୟ ପ୍ରଦାନ କରିଆସୁଥିଲା ବୋଲି ଜଣାପଡ଼ିଛି। ଗିରଫ ହୋଇଥିବା ସତ୍ୟେନ୍ଦ୍ର ସିୱାଲ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ମଲ୍ଟି ଟାସ୍କିଂ ଷ୍ଟାଫ୍ (ଏମ୍‌ଟିଏସ୍) ଭାବେ କାର୍ଯ୍ୟ କରୁଥିଲା। ଭାରତୀୟ ସେନା ସମ୍ବନ୍ଧୀୟ ସମ୍ବେଦନଶୀଳ ସୂଚନା ବଦଳରେ ବିଦେଶ ବ୍ୟାପାର ମନ୍ତ୍ରଣାଳୟର ଜଣେ କର୍ମଚାରୀଙ୍କୁ ଆଇଏସ୍‌ଆଇ ହେଣ୍ଡଲରମାନେ ଅର୍ଥ ପ୍ରଦାନ କରିଥିବା ଏଟିଏସ୍‌କୁ ସୂଚନା ମିଳିବା ପରେ ଏହି ଅପରେସନ ଆରମ୍ଭ ହୋଇଥିଲା। ଭାରତର ଆଭ୍ୟନ୍ତରୀଣ ଓ ବାହ୍ୟ ନିରାପତ୍ତା ପ୍ରତି ଗଭୀର ବିପଦ ସୃଷ୍ଟି କରି ମସ୍କୋ ଦୂତାବାସରେ ନିୟୋଜିତ ଏହି କର୍ମଚାରୀ ଆଇଏସ୍‌ଆଇକୁ ଲଗାତାର ତଥ୍ୟ ଦେଇଚାଲିଥିଲା।

Advertisment

ସତ୍ୟେନ୍ଦ୍ର ଅନ୍ୟ କେତେକ ବ୍ୟକ୍ତିଙ୍କ ସହାୟତାରେ ଏକ ଗୁପ୍ତଚର ନେଟୱର୍କ ଚଳାଇଥିବା ନେଇ କେତେକ ଠୋସ୍‌ ପ୍ରମାଣ ମିଳିବା ପରେ ଚଢ଼ଉ ଆରମ୍ଭ ହୋଇଥିଲା। ମସ୍କୋ ସ୍ଥିତ ଭାରତୀୟ ଦୂତାବାସରେ ନିଜ ପଦବିର ଦୁରୁପଯୋଗ କରି ସେ ଗୋପନୀୟ ଦସ୍ତାବିଜ ବାହାର କରିଥିବା ଅଭିଯୋଗ ହୋଇଛି। ଟଙ୍କା ଲୋଭରେ ପ୍ରେରିତ ହୋଇ ସତ୍ୟେନ୍ଦ୍ର ଓ ତାର କେତେକ ବାହ୍ୟ ସହଯୋଗୀମାନେ ପ୍ରତିରକ୍ଷା ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଭାରତୀୟ ସାମରିକ ପ୍ରତିଷ୍ଠାନର ରଣନୈତିକ କାର୍ଯ୍ୟକଳାପ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଇଏସ୍‌ଆଇ ହେଣ୍ଡଲରଙ୍କୁ ଦେଇଥିବା ଜଣାପଡ଼ିଛି। ସତ୍ୟେନ୍ଦ୍ର ଯେଉଁ ସବୁ ସୂଚନା ପାକ୍‌କୁ ପ୍ରଦାନ କରିଛି ଏବେ ତାହାର ତର୍ଜମା ଆରମ୍ଭ ହୋଇଛି। ଭାରତର ନିରାପତ୍ତା ପାଇଁ ଏହା ବଡ଼ ବିପଦ ସୃଷ୍ଟି କରିବାର ସମ୍ଭାବନା ଥିବାରୁ ଅନ୍ୟ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ବ୍ୟାପକ ଖୋଳତାଡ଼ ଆରମ୍ଭ ହୋଇଛି। ସତ୍ୟେନ୍ଦ୍ର ଜେରା ବେଳେ ପାକ୍‌ ପାଇଁ ଗୁପ୍ତଚରିରି କରୁଥିବା ସ୍ବୀକାର କରିବା ସହ ତାକୁ ସହଯୋଗ କରିଥିବା ନେଟ୍‌ୱର୍କ ସଂପର୍କରେ ମଧ୍ୟ ସୂଚନା ଦେଇଛି। ଏହି ଆଧାରରେ ୟୁପି ପୁଲିସ ତଦନ୍ତକୁ ବ୍ୟାପକ କରିଛି ଏବଂ ବିଭିନ୍ନ ରାଜ୍ୟକୁ ଏ ବାବଦରେ ସୂଚନା ଦେଇଛି ।