ନୂଆଦିଲ୍ଲୀ: ତେହେରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ପକ୍ଷରୁ ଜାରି ଅନେକ ଭିଡିଓରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନୀରଙ୍କୁ ଚ୍ୟାଲେଞ୍ଜ କରାଯାଇଛି। ଏହି ଭିଡିଓରେ ଜଣେ ବରିଷ୍ଠ ଟିଟିପି କମାଣ୍ଡରମାନେ ମୁନିରଙ୍କୁ ଧମକ ଦେଇଛନ୍ତି। ସେମାନେ ଦାବି କରିଛନ୍ତି ଯେ, ପାକିସ୍ତାନୀ ସେନା ସହିଦ ହେବା ପାଇଁ ସାଧାରଣ ସୈନିକଙ୍କୁ ପଠାଇବା ପରିବର୍ତ୍ତେ ଶୀର୍ଷ ଅଧିକାରୀମାନେ ଯୁଦ୍ଧ ମୈଦାନକୁ ଓହ୍ଲାଇବା ଉଚିତ।
ଏହି ଭିଡିଓଗୁଡ଼ିକରେ ଖାଇବର ପଖତୁନଖ୍ୱାର କୁରମରେ ଅକ୍ଟୋବର ୮ରେ ହୋଇଥିବା ଆକ୍ରମଣର ଯୁଦ୍ଧକ୍ଷେତ୍ର ଫୁଟେଜ୍ ଅନ୍ତର୍ଭୁକ୍ତ, ଯେଉଁଥିରେ ଟିଟିପି ଦାବି କରିଛି ଯେ ୨୨ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି ଏବଂ ସେମାନଙ୍କଠାରୁ ଅନେକ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ଯାନବାହନ ଜବତ କରାଯାଇଛି। ପାକିସ୍ତାନର ସରକାରୀ ରିପୋର୍ଟରେ ଏପର୍ଯ୍ୟନ୍ତ କମ୍ ମୃତାହତ ଦର୍ଶାଯାଇଛି ଏବଂ ସେନା ଏହି ଆକ୍ରମଣରେ ୧୧ ଜଣ ସୈନିକ ନିହତ ହୋଇଥିବା ସ୍ୱୀକାର କରିଛି। ଗୋଟିଏ କ୍ଲିପ୍ରେ, ପାକିସ୍ତାନୀ ଅଧିକାରୀଙ୍କ ଦ୍ୱାରା କମାଣ୍ଡର କାଜିମ୍ ଭାବରେ ଚିହ୍ନିତ ଜଣେ ବରିଷ୍ଠ ଟିଟିପି ନେତା ଅସୀମ ମୁନିରଙ୍କୁ କହୁଛନ୍ତି, ଯଦି ତୁମେ ଜଣେ ପୁରୁଷ ତେବେ ଆମକୁ ସାମ୍ନା କର। ଯଦି ତୁମେ ମା’ କ୍ଷୀର ପିଇଛ ତେବେ ଆମ ସହିତ ଲଢ଼େଇ କରି ନିଜ ସାହସର ପ୍ରମାଣ ଦିଅ। ଅକ୍ଟୋବର ୨୧ରେ ପାକିସ୍ତାନୀ କର୍ତ୍ତୃପକ୍ଷ କାଜିମଙ୍କୁ ଧରିବା ଲାଗି ସୂଚନା ଦେବା ପାଇଁ ୧୦ କୋଟି ପାକିସ୍ତାନୀ ଟଙ୍କା (ପିକେଆର୍) ପୁରସ୍କାର ଘୋଷଣା କରିଥିଲେ।
କିଛି ଦିନ ଧରି ସୀମାପାର ଗୁଳିଗୋଳାମାଡ଼, ଏୟାର୍ ଷ୍ଟ୍ରାଇକ୍ ଏବଂ ଉଭୟ ପକ୍ଷର ବହୁ ସାଧାରଣ ନାଗରିକ ମୃତାହତ ହେବା ପରେ, କତର ଓ ତୁର୍କୀର ମଧ୍ୟସ୍ଥତାରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଅକ୍ଟୋବର ମଧ୍ୟଭାଗରେ ଅସ୍ତ୍ରବିରତି ହୋଇଥିଲା। ତେବେ ଇସଲାମାବାଦ କହିଛି ଯେ, ଯଦି ଆଫଗାନିସ୍ତାନ ନିଜ ମାଟିରୁ କାର୍ଯ୍ୟ କରୁଥିବା ସଶସ୍ତ୍ର ଗୋଷ୍ଠୀ ଉପରେ କଟକଣା ଲଗାଇବ ତେବେ ହିଁ ଯୁଦ୍ଧବିରତି ଜାରି ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/24/munir-2025-10-24-04-34-11.jpg)