ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୋସିଆଲ ମିଡ଼ିଆରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଉଭୟ ଦେଶର ନାଗରିକ ଉତ୍ତେଜକ ଭିଡ଼ିଓ ଅପଲୋଡ଼୍ କରାଯାଇଛି । ଭିଡ଼ିଓ ମାଧ୍ୟମରେ ଉଭୟ ଭାରତୀୟ ଓ ପାକିସ୍ତାନୀ ଶତ୍ରୁ ଦେଶପ୍ରତି ଥିବା କ୍ରୋଧ ସ୍ପଷ୍ଟ ନଜର ଆସୁଛି । ଏହାରି ଭିତରେ ପାକିସ୍ତାନ ଭାରତ ବିରୋଧରେ ପୁଣି ନୂଆ ଷଡ଼ଯନ୍ତ୍ର ରଚୁଛି । ପାକିସ୍ତାନରୁ ଭାରତୀୟ ମୋବାଇଲ ନମ୍ବରକୁ କଲ ଆସୁଛି ଏବଂ ହ୍ୱାଟସଆପ୍ ଗ୍ରୁପ ତିଆରି କରିବା ପାଇଁ କୁହାଯାଉଛି । ହ୍ୱାଟସଆପ୍ ଗ୍ରୁପ ତିଆରି କରି ଟଙ୍କା ମିଳିବ ବୋଲି ପ୍ରଲୋଭନ ଦେଖାଯାଉଛି । ଲୁଧିଆନା ପୁଲିସ ଏପରି ଏକ ଅଭିଯୋଗ ପାଇବା ପରେ ଛାନଭିନ୍ ଆରମ୍ଭ କରିଛି ।
ସୂଚନା ଅନୁସାରେ କିଛି ପାକିସ୍ତାନୀ ଭାରତୀୟ ନମ୍ବରକୁ କଲ୍ କରୁଛନ୍ତି ।ହ୍ୱାଟସଆପ୍ ଗ୍ରୁପ ଗଠନ କରି ଟଙ୍କା ଆୟ କରିବାର ଲୋଭ ଦେଖାଉଛନ୍ତି । ହ୍ୱାଟସଆପ୍ ଗ୍ରୁପରେ ଅସାମାଜିକ ତଥା ଉତ୍ତେଜିତ କଲା ଭଳି ଓ ଭାରତୀୟଙ୍କୁ ଗାଳି କରିବା ଭଳି ଭିଡ଼ିଓ ଓ ପୋଷ୍ଟ ଅପଲୋଡ଼୍ କରିବା ପାଇଁ କୁହାଯାଉଛି । ଏଥିପାଇଁ ଲୋକଙ୍କୁ ମୋଟା ଅଙ୍କର ଟଙ୍କା ଦେବାପାଇଁ ମଧ୍ୟ ଲୋଭାନ୍ୱିତ କରାଯାଉଛି ।
ସୂଚନା ଅନୁସାରେ ଲୁଧିଆନାର ରାକେଶ ନାମକ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ପାଖକୁ ହ୍ୱାଟସଆପ୍ ଗ୍ରୁପ ତିଆରି କରିବା ପାଇଁ ପାକିସ୍ତାନରୁ କଲ ଆସିଥିଲା । ଗ୍ରୁପ ତିଆରି କରିବା ପରେ ଦିଲ୍ଲୀରୁ ଟଙ୍କା ମିଳିବ ବୋଲି କୁହାଯାଇଥିଲା । ଏହାରି ଭିତରେ ରାକେଶଙ୍କ ହ୍ୱାଟସଆପକୁ ଦୁଇଥର ଫୋନ ଆସିସାରିଛି । ତେବେ ରାକେଶ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।