ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ଦେଶବ୍ୟାପୀ ଲକ ଡାଉନ ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କଲେ ପାକିସ୍ତାନବାସୀ

ଇସଲାମାବାଦ: ପାକିସ୍ତାନରେ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ୭୩୩କୁ ବୃଦ୍ଧି ପାଇବା ପରେ ପାକିସ୍ତାନୀ ନାଗରିକମାନେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କୋଭିଡ-୧୯ର ପ୍ରସାରକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ତାଲା ବା କର୍ଫ୍ୟୁ  ଜାରି କରିବାକୁ ଅନୁରୋଧ କରିଛନ୍ତି। ପାକିସ୍ତାନ କର୍ତ୍ତୃପକ୍ଷଙ୍କ ଅନୁଯାୟୀ ପାକିସ୍ତାନରେ କୋଭିଡ-୧୯ର ମାମଲା ୭୩୩କୁ ବୃଦ୍ଧି ପାଇଛି | ସେମାନଙ୍କ ମଧ୍ୟରୁ ସିନ୍ଧର ୩୯୬ ଏବଂ ପଞ୍ଜାବର ୧୩୭ଟି ମାମଲା ରହିଛି।

ଯେଉଁଭଳି ଭାବରେ ଇମ୍ରାନ ଖାନ ସରକାର ପରିସ୍ଥିତିର ମୁକାବିଲା କରୁଛନ୍ତି ସେଥିରେ ଅସନ୍ତୋଷ ବ୍ୟକ୍ତ କରିବା ସହ ପାକିସ୍ତାନୀମାନେ ଟ୍ୱିଟରକୁ ଯାଇ ମାରାତ୍ମକ ରୋଗ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଶନିବାର ଦିନ ପାକିସ୍ତାନ ସମସ୍ତ ଅନ୍ତର୍ଜାତୀୟ ବିମାନର ଉଡ଼ାଣକୁ ଦୁଇ ସପ୍ତାହ ପାଇଁ ସ୍ଥଗିତ ରଖିଛି ଏବଂ ଟ୍ରେନ୍ ସେବାକୁ ବନ୍ଦ କରି ଦେଇଛି। ପାକିସ୍ତାନରେ ଏପର୍ଯ୍ୟନ୍ତ ତିନି ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ଜଣ ସୁସ୍ଥ ହୋଇଛନ୍ତି। ତେବେ ବିମାନ ସେବା ଏବଂ ଟ୍ରେନ ସେବା ବନ୍ଦଥିଲେ ମଧ୍ୟ ପାକିସ୍ତାନବାସୀ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକ ଡାଉନ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି|

ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍)ର କ୍ୱେଟା ଗ୍ଲାଡିଏଟର୍ସ ଫ୍ରାଞ୍ଚାଇଜର ମାଲିକ ଓମାର ନାଦିମ ଟୁଇଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଖାନଙ୍କୁ ଦେଶରେ ତାଲା ପକାଇବାକୁ ଅନୁରୋଧ କରିବା ସହ ସେ ତାଙ୍କର ନିରବତା ଭଙ୍ଗ କରୁଛନ୍ତି। “ପ୍ରିୟ ପାକିସ୍ତାନ ମୁଁ ଦୀର୍ଘ ଦିନ ଧରି ଟ୍ୱିଟରରେ ଚୁପ୍ ରହିଥିଲି, ଆମର ପିଏସଏଲ୪ ଚାମ୍ପିଅନସିପ୍ ମଧ୍ୟ ପାଳନ କରି ନ ଥିଲି | କିନ୍ତୁ ଆଜି ପାକ୍‌କୁ ସୁରକ୍ଷିତ ରଖିବା ପାଇଁ ମୁଁ ମୋର ନୀରବତା ଭାଙ୍ଗିଛି | ମୁଁ ଆମର ପ୍ରଧାନମନ୍ତ୍ରୀ ସାହିବ ସାରକୁ ନିବେଦନ କରିବାକୁ ଚାହୁଁଛି ଦୟାକରି ଏକ ଲକଡାଉନ୍ ଅର୍ଡର କରନ୍ତୁ !! ସମସ୍ତଙ୍କ ପାଇଁ ପ୍ରାର୍ଥନା !! ବୋଲି ଟୁଇଟ କରି ଲେଖିଛନ୍ତି ନାଦିମ |

ସେହିଭଳି ଭାବରେ ଗାୟକ ଅଲି ଜାଫର ପାକିସ୍ତାନ ଏବଂ ଇଟାଲୀରେ ସଂକ୍ରମଣ ସଂଖ୍ୟା ତୁଳନା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ କେତେ ଯେ ଜୀବନ ଚାଲିଯିବ ବୋଲି କହିଛନ୍ତି | ସେ ଟୁଇଟ କରି ଲେଖିଛନ୍ତି କି, “ଫେବୃଆରୀ ୨୬ରେ ପାକିସ୍ତାନରେ ପ୍ରଥମ କରୋନା ମାମଲା ନିଶ୍ଚିତ ହୋଇଥିଲା। ମାର୍ଚ୍ଚ ୨୦ରେ (୨୩ ଦିନ ପରେ) ଏହି ସଂଖ୍ୟା ବଢି ୪୮୧ ରେ ପହଞ୍ଚିଥିଲା | ଜାନୁଆରୀ ୩୧ରେ ଇଟାଲୀରେ ପ୍ରଥମ କରୋନା ମାମଲା ନିଶ୍ଚିତ ହୋଇଥିଲା। ଫେବୃଆରୀ ୨୩କୁ ଏହି ସଂଖ୍ୟା ବଢି ୧୫୦(୨୩ ଦିନ ପରେ)ରେ ପହଂଚି ଥିଲା | ମାତ୍ର ୨୩ଦିନ ମଧ୍ୟରେ ଏଭଳି ଅବସ୍ଥା ହେଲେ ମାସେ ଭିତରେ ଆମେ କେଉଁଠି ଥିବା ବୋଲି ପ୍ରଶ୍ନ କରିଛନ୍ତି ଜାଫର |

ସମ୍ବନ୍ଧିତ ଖବର